ଏବେ ଦେଶର ସମସ୍ତ ସୈନିକ ସ୍କୁଲରେ ପଢି ପାରିବେ ଝିଅ : ମୋଦୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୭୫ତମ ସ୍ଵାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲା ପ୍ରାଚୀରରୁ ଦେଶର ଝିଅଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସମସ୍ତ ସୈନିକ ସ୍କୁଲରେ ଏବେ ଝିଅ ପଢିପାରିବେ। ସେମାନଙ୍କ ପାଇଁ ଏବେ ସମସ୍ତ ସୈନିକ ସ୍କୁଲ ଖୋଲା ରହିବ। ଦେଶକୁ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୋ ପାଖକୁ କିଛି ନିବେଦନ ଆସିଥିଲା ଯେ, ଝିଅମାନେ ମଧ୍ୟ ସୈନିକ ସ୍କୁଲରେ ପଢିବାକୁ ଚାହୁଁଛନ୍ତି। ଅଢେଇ ବର୍ଷ ପୂର୍ବେ ମିଜୋରାମର ସୈନିକ ସ୍କୁଲରେ ପରୀକ୍ଷଣ ଭାବେ ଝିଅଙ୍କୁ ଆଡମିଶନ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏବେ ଦେଶର ସବୁ ସୈନିକ ସ୍କୁଲରେ ଝିଅଙ୍କ ନାମ ଲେଖା ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନଇପି) ୨୦୨୦ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୨୧ମ ଶତାବ୍ଦୀର ଭାରତର ଆବଶ୍ୟକତା ପୂରା କରିବା ପାଇଁ ଆମ ପାଖରେ ଏନଇପି ୨୦୨୦ ରହିଛି। ଏନଇପିରେ ଆଞ୍ଚଳିକ ଭାଷାରେ ଶିକ୍ଷା ଦେବା ଉପରେ ଗୁରୁତ୍ଵାରୋପ କରାଯାଇଛି। ଯେବେ ଗରିବ ପିଲା ନିଜ ମାତୃଭାଷାରେ ପଢିବେ ଏବଂ ପେଶାଦାର ହେବେ, ତେବେ ଯାଇ ସେମାନଙ୍କର କ୍ଷମତା ସହ ନ୍ୟାୟ ହୋଇ ପାରିବ। ଏନଇପି ୨୦୨୦ ଗରିବି ବିରୋଧରେ ଲଢିବାର ଏକ ଉପକରଣ ବା ମାଧ୍ୟମ ପାଲଟିବ। ଏନଇପି ୨୦୨୦ର ବିଶେଷତ୍ଵ ଏହା ଯେ, କ୍ରୀଡା ଶିକ୍ଷାକୁ କେବଳ ଏକ ପାଠ୍ୟକ୍ରମ ଭାବେ ନୁହେଁ ବରଂ ମୁଖ୍ୟଧାରର ଶିକ୍ଷା ଭାବେ ସାମିଲ୍ କରାଯାଉଛି। କ୍ରୀଡା ଜୀବନକୁ ପ୍ରଭାବଶାଳୀ କରିବାର ଏକ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Leave a comment