ତୈଳଦର ବୃଦ୍ଧି ପ୍ରତିବାଦକୁ ଜନସାଧାରଣ ଙ୍କ ସମର୍ଥନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇ ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦର ଏବଂ ଏକାସାଙ୍ଗରେ ଗ୍ୟାସ ଦର ୪୫ ବୃଦ୍ଧି ପାଇଥିବାରୁ ଏହାକୁ ବିରୋଧ କରି କଂଗ୍ରେସ ଆଜି ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକ ରେ ୬ଘଣ୍ଟିଆ ଚକ ବନ୍ଦ ଡାକରା ଦେଇଥିଲା। ସକାଳ ୬ଟାରୁ କଂଗ୍ରେସ କର୍ମୀମାନେ ଭୁବନେଶ୍ୱର ର ସିଆରପି , ଜୟଦେବ ବିହାର , ଆଚାର୍ଯ୍ୟ ବିହାର ,ବାଣୀବିହାର , ରସୁଲଗଡ଼ , ମାଷ୍ଟରକ୍ୟାନଟିନ ଆଦି ବିଭିନ୍ନ ସ୍ଥାନରେ ଟାୟାର ଜାଳି ପିକେଟିଂ କରି ଗାଡ଼ି ଅଟକାଉଥିବାର ଦେଖିବାକୁ ମିଳିଥିଲା। ସେମାନେ ଶାନ୍ତିପୂର୍ଣ୍ଣ ଭାବରେ ଗାଡିଚାଳକ ଙ୍କୁ ବୁଝାଇ ଏହି ବନ୍ଦ ରେ ତାଙ୍କୁ ସହଯୋଗ କରିବାକୁ ଅନୁରୋଧ କରୁଥିଲେ। ଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇ ଯାଇଥିଲା। କାରଣ ତୈଳଦର ବୃଦ୍ଧି ରେ ସାଧାରଣ ଖାଉଟି ପ୍ରଭାବିତ ହେଉଥିବାରୁ ସେମାନେ ମଧ୍ୟ ଏ ବନ୍ଦ କୁ ଏକପ୍ରକାର ର ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ଏହି ବନ୍ଦ କୁ ନଜରରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସହରରେ ବିଭିନ୍ନ ସ୍ଥାନରେ ୨୦ରୁ ୨୫ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯାଇଥିଲା।

କଂଗ୍ରେସର ବନ୍ଦର ପ୍ରଭାବ କଟକରେ ମଧ୍ୟ ଦେଖିବାକୁ ମିଳିଛି। ବାଦାମବାଡ଼ିରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ରାସ୍ତାରେ ଟାୟାର ଜାଳି ଗାଡ଼ି ଅଟକାଇଥିଲେ। ଯାତ୍ରୀବାହୀ ବସ୍‌ ଗୁଡ଼ିକ ଯାଇ ନପାରି ଅଟକି ରହିଛି।

ଏହି ବନ୍ଦ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବରେ ହୋଇଥିବାବେଳେ କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଗାଡି ମଟର ନଚାଲିବାରୁ ଯାତ୍ରୀମନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥଲେ।

ତେଲ ଓ ଗ୍ୟାସ ଦର ଅହେତୁକ ଭାବେ ବୃଦ୍ଧି କୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ଏକ୍‌ସାଇଜ୍‌ ଡ୍ୟୁଟିକୁ କମାଇବା ସହ ପେଟ୍ରୋଲ ଓ ଡିଜେଲ୍‌କୁ କେନ୍ଦ୍ର ସରକାର ଜିଏସ୍‌ଟି ପରିସର ଭୁକ୍ତ କରିଥିଲେ ଏହାକୁ ଆୟତ୍ତ କରିପାରିଥାନ୍ତେ। ମାତ୍ର କେନ୍ଦ୍ର ସରକାର କିଛି ବଡ଼ବଡ଼ ବ୍ୟବସାୟୀଙ୍କୁ ସୁରକ୍ଷା ଦେବା ପାଇଁ ସାଧାରଣ ଜନତାଙ୍କ ଝାଳବୁହା ପରିଶ୍ରମର ଅର୍ଥକୁ ଲୂଟ କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ଭାଟ କମାଇ ଏହାକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିପାରିଥାନ୍ତେ। ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଙ୍କ ଅବହେଳା ଯୋଗୁଁ ଆଜି ସାଧାରଣ ଖାଉଟି କୁ ଏହାର ପରିଣାମ ଭୋଗିବାକୁ ପଡୁଛି । ସାଧାରଣ ଜନତାଙ୍କୁ ଏ ସମ୍ୱନ୍ଧ ରେ ଚେତେଇବା ପାଇଁ କଂଗ୍ରେସ ଆଜିର ଏ ବନ୍ଦ ଡାକରା ଦେଇଥିଲା।”

Leave a comment