ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ଦୁଇ ସାଥିଙ୍କୁ ଆଜୀବନ ଜେଲ୍

ଉତ୍ତରପ୍ରଦେଶର ପୂର୍ବତନ ଖଣି ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ତାଙ୍କ ଦୁଇ ସାଥିଙ୍କୁ ଗଣଦୁଷ୍କର୍ମ ଏବଂ ପକ୍ସୋ ଆକ୍ଟ ମାମଲାରେ ଏମପି/ଏମଏଲଏ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ୩ ଦୋଷୀଙ୍କ ଉପରେ ୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ। ଚାକିରି ଦେବା ନାଁରେ ଚିତ୍ରକୁଟର ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ତାଙ୍କର ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ମାମଲାରେ ନଭେମ୍ବର ୧୦ ରେ ପ୍ରଜାପତି ଏବଂ ତାଙ୍କର ଦୁଇ ସାଥିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।
ଏହା ସହ ଶୁକ୍ରବାର ଅର୍ଥାତ ଆଜି ୩ ଦୋଷୀଙ୍କୁ ଦଣ୍ଡଦେଶ ମିଳିଛି। ଅଭିଯୋଗକାରୀ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ। ଭାରତୀୟ ପେନାଲ କୋଡ୍ର ଧାରା ଅନୁସାରେ ଗଣଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍ ଏବଂ ପକ୍ସୋ ଆକ୍ଟରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବାର ପ୍ରାବଧାନ ରହିଛି।
କୋର୍ଟ ଗାୟତ୍ରୀ ପ୍ରଜାପତି, ଅଶୋକ ତିଓ୍ବାରୀ ଏବଂ ଆଶିଷ କୁମାର ଶୁକ୍ଳାଙ୍କୁ ଗଣଦୁଷ୍କର୍ମ ଏବଂ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ। ସେପଟେ ପ୍ରମାଣ ନମିଳିବାରୁ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଖଲାସ କରିଛନ୍ତି। ଏମାନେ ଗାୟତ୍ରୀଙ୍କ ସହ ୨୦୧୭ରେ ଜିଲ୍ଲା ଜେଲ୍ରେ ଥିଲେ ।