ଗଞ୍ଜାମରେ ବିଜେପିର ‘ଲେଖା ଛିଡ଼େଇ’ ଦେବେ ଜିଲ୍ଲା ସଭାପତି

0

ବ୍ରହ୍ମପୁର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ଜନତା ପାର୍ଟି (ବିଜେପି) ଗଞ୍ଜାମ ଜିଲା ସଭାପତି ଡା. ସୁବାସ ସାହୁଙ୍କ ବିରୋଧରେ ଦଳ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଗତ ସୋମବାର ବ୍ରହ୍ମପୁର ସହରର ୪ଜଣ କର୍ପୋରେଟର ଡା. ସାହୁଙ୍କ କାର୍ଯ୍ୟକାଳପରେ ଅତିଷ୍ଠ ହୋଇ ଦଳ ଛାଡ଼ିଦେଇଛନ୍ତି। ଆଗାମୀ ଦିନରେ ଗଞ୍ଜାମ ଜିଲାର ଆଉ କେତେକ ବିଜେପି ନେତା ମଧ୍ୟ ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଲେଣି। ମାତ୍ର ତିନି ମାସର କାର୍ଯ୍ୟକାଳ ଭିତରେ ଡା. ସାହୁଙ୍କ ଯୋଗୁ ଗଞ୍ଜାମ ଜିଲାରେ ବିଜେପି ଦୁର୍ବଳ ହେବାରେ ଲାଗିଛି। ଏପରିକି ଡା. ସାହୁ ଗଞ୍ଜାମ ଜିଲାରେ ବିଜେପିର ‘ଲେଖା ଛିଡ଼େଇ ଦେବେ’ ବୋଲି କର୍ମୀଙ୍କ ଭିତରେ ଆଲୋଚନା ହେଉଛି।ଗଞ୍ଜାମ ଜିଲାର ଅନ୍ୟତମ ପାୱାରଫୁଲ୍‌ ନେତା ତଥା ଗୋପାଳପୁର ବିଧାୟକ ଡା. ପ୍ରଦୀପ କୁମାର ପାଣିଗ୍ରାହୀ ଗତ କିଛି ଦିନ ପୂର୍ବେ ବିଜେପିରେ ସାମିଲ ହୋଇଛନ୍ତି। ଏହା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏକ କାର୍ଯ୍ୟକ୍ରମ ବ୍ରହ୍ମପୁର ସହର ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀର ଆମ୍ବପୁଆ ଠାରେ ଆୟୋଜିତ ହେଲା। ବିଜେଡ଼ିର ଅନେକ ନେତା ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ। ଏହା ପରେ ଗଞ୍ଜାମ ଜିଲାରେ ପଦ୍ମ ଫୁଲ ଦଳ ସୁଦୃଢ଼ ହେବ ବୋଲି ଜନସାଧାରଣଙ୍କ ଭିତରେ ଚର୍ଚ୍ଚା ହେଉଥିଲା। କିନ୍ତୁ ଗଞ୍ଜାମ ଜିଲା ବିଜେପି ସଭାପତି ଡା. ସାହୁଙ୍କ କାର୍ଯ୍ୟକାଳରେ ଅତିଷ୍ଠ ହୋଇ ୪ ଜଣ କର୍ପୋରେଟର ଦଳ ଛାଡ଼ିଦେଲେ। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହଙ୍କ କାର୍ଯ୍ୟକ୍ରମରେ ଏହି କର୍ପୋରେଟରଙ୍କୁ ଡକାଗଲା ନାହିଁ। ସେମାନେ କାର୍ଯ୍ୟକ୍ରମକୁ ବଏକଟ୍‌ କଲେ। ସେବେଠୁ ସେମାନେ ବିଜେପି ଛାଡ଼ିବେ ବୋଲି ଆଲୋଚନା ହେଉଥିଲା। କିନ୍ତୁ ଜିଲା ସଭାପତି ଡା. ସାହୁ ଥରେ ହେଲେ ସେମାନଙ୍କୁ ଡାକି ଆଲୋଚନା କଲେ ନାହିଁ। ଯାହା ଫଳରେ କର୍ପୋରେଟରମାନେ ଦଳ ଛାଡ଼ିଲେ। ଆଗାମୀ ଦିନରେ ଆଉ କେତେକ ନେତା ମଧ୍ୟ ବିଜେଡ଼ିରେ ସାମିଲ ହେବାକୁ ପ୍ରସ୍ତୁତ ହେଲେଣି।

କେବଳ ଏହି ଗୋଟିଏ ଘଟଣା ନୁହଁ, ଗତ ମାର୍ଚ୍ଚ ୭ ତାରିଖରେ ଜିଲା ପଦାଧିକାରୀ ତାଲିକା ଘୋଷଣା କରାଗଲା। କିନ୍ତୁ ସେଥିରେ ଜଣେ ହେଲେ ଜନପ୍ରତିନିଧିଙ୍କୁ ସାମିଲ କରାଗଲା ନାହିଁ। ବରଂ ଜଣେ ନେତାଙ୍କ ଗାଡ଼ି ଡ୍ରାଇଭରଙ୍କୁ ରଖାଯାଇଥିଲା। ଦଳ ତରଫରୁ ଲକ୍ଷ ଲକ୍ଷ ଟଙ୍କାର ପାଣ୍ଠି ଆସୁଥିଲେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କ ପାଇଁ ପାଣି ଟୋପାଏ ବ୍ୟବସ୍ଥା ମଧ୍ୟ କରାଯାଉ ନାହିଁ। ଦୀର୍ଘ ବର୍ଷ ଯୋଗୁ କଂଗ୍ରେସରେ ରହିଥିବା ଯୋଗୁ ଡା. ସାହୁ ବିଜେପିର ବରିଷ୍ଠ ନେତା ଓ କର୍ମୀଙ୍କୁ ଚିହ୍ନିପାରୁ ନାହାନ୍ତି। ଏହାକୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି। ନିର୍ବାଚନ ପୂର୍ବରୁ ଯଦି ଡା. ସାହୁଙ୍କୁ ସଭାପତି ପଦରୁ ବାହାର କରାନଯାଏ, ତେବେ ଦଳକୁ ମହଙ୍ଗା ପଡ଼ିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Leave a comment