ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଦୁଇ ଭାଈ ଓ ଜଣେ ସମ୍ପର୍କୀୟ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ୟାଙ୍ଗ୍ଷ୍ଟର ଟିଟୋ ଓରଫ ସୟଦ ଉସ୍ମାନ ଅଲ୍ଲୀଙ୍କ ଗିରଫ ମାମଲାରେ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । କଣ୍ଟ୍ରାକ୍ଟର ରନ୍ଥା ଓରଫ ଶିବପ୍ରସାଦ ପରିଡ଼ାଙ୍କ ଅପହରଣ ମାମଲାରେ ଟିଟୋଙ୍କ ଦୁଇ ଭାଇଙ୍କ ସମେତ ୩ ଜଣଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟ୍ୟାକ୍ସ ଫୋର୍ସ (ଏସ୍ଟିଏଫ୍) । ଟିଟୋଙ୍କ ଦୁଇ ଭାଇ ଜୀ ବାବୁ ଓରଫ୍ ସୟଦ ଆସପାକ ଅଲ୍ଲୀ ଓ ଚିତୋ ଓରଫ ସୟଦ ଇଫତ୍କାର ଅଲ୍ଲୀ ଏବଂ ସମ୍ପର୍କୀୟ ମୁନ୍ନା ଓରଫ ଅମଜାଦ ଖାଁଙ୍କୁ ଟାଉନ ଥାନା ଅଧୀନ ଦିଲାରପୁରସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଛି । ଆଇଜି ଆଶିଷ ସିଂହଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ୍ ବୁଧବାର ଭୋର ୪ଟାରେ ଟିଟୋଙ୍କ ଦିଲାରପୁରସ୍ଥିତ ଘରୁ ସେମାନଙ୍କୁ ଗିରଫ କରିଥିଲେ । ବୁଧବାର ପୂର୍ବାହ୍ନରେ ସମାନଙ୍କୁ ଭୁବନେଶ୍ୱରକୁ ନିଆଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
ଟାଉନ ଥାନା ମାମଲା (ନଂ.- ୯୯/୧୮) ଅନୁଯାୟୀ, ସହରର କଜଳାଠାରେ ରହୁଥିବା କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଧୀନ ଚାରିଗାଁର ରନ୍ଥା ଜଣେ ସୁପରକ୍ଲାସ କଣ୍ଟାକ୍ଟର । ତାଙ୍କୁ ୪କୋଟି ଟଙ୍କା ବଟି ମଗାଯାଇଥିଲା । କିନ୍ତୁ ନ ଦେବାରୁ ଟିଟୋଙ୍କ ନିର୍ଦ୍ଦେଶରେ ଚାନୋ ଓରଫ ସେକ୍ ବାବର ଓ ଅନ୍ୟ ୩ ଜଣ ୨୦୧୭ ସେପ୍ଟେମ୍ବର ୯ ତାରିଖରେ ରନ୍ଥାଙ୍କୁ ତାଙ୍କ ଘରୁ ଉଠାଇ ନେଇ ଟିଟୋଙ୍କ ଘରେ ମାଡ଼ପିଟ କରିଥିଲେ । ଟିଟୋଙ୍କ ଗିରଫଦାରି ପରେ ଟାଉନ ଥାନା ଅଧିକାରୀ ତପନ କୁମାର ନାୟକ ଏ ସମ୍ପର୍କରେ ଜୁଲାଇ ୯ ତାରିଖରେ ମାମଲା ରୁଜୁ କରିଥିଲେ ।