ଭୁବନେଶ୍ୱରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା; ପୁଲିସ, ଗଣମାଧ୍ୟମ ଓ ସୁରକ୍ଷାକର୍ମୀ ସାମିଲ : ଡିସିପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀରେ ଜଣେ ନାବାଳିକାଙ୍କୁ ତାଙ୍କ ବାସଭବନରେ ଗଣଦୁଷ୍କର୍ମ ଘଟଣା ପଦାକୁ ଆସିବାପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗତ ସପ୍ତାହରେ ନାବାଳିକାଙ୍କ ମା’ ମହିଳା ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ପଦାକୁୁ ଆସିଛି। ଅଭିଯୁକ୍ତଙ୍କ ଚାପରେ ଘଟଣାଟି ଲୁଚି ଯାଇଥିଲା। ମହିଳା ଥାନା ପୁଲିସ ଏଭଳି ସଙ୍ଗିନ ଅଭିଯୋଗ ପାଇବାପରେ ଏକ ମାମଲ ରୁଜୁକରି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ଗଣମାଧ୍ୟମର ୨ କର୍ମଚାରୀ ଓ ୨ ସୁରକ୍ଷାକର୍ମୀଙ୍କ ସମେତ ଜଣେ ପୁଲିସ କର୍ମଚାରୀ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ମିଶାଇ ମୋଟ ୭ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡିଛି। ଜଣେ ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ଏହା ଅଧିକ ସମ୍ବେଦନଶୀଳ ହୋଇପଡ଼ିଛି। ନାବାଳିକାଙ୍କୁ ଏକ ସପ୍ତାହରୁ ଅଧିକ ଦିନ ଅଭିଯୁକ୍ତମାନେ ବାରମ୍ବାର ଦୁଷ୍କର୍ମ କରିଥିଲେ। ମାମଲାର ଗୁରୁତ୍ୱ ଦୃଷ୍ଟିରୁ କମିସନରେଟ ପୁୁଲିସ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରିବା ପରେ ବୟାନ ରେକର୍ଡ କରିଛି।

ଏ ସମ୍ପର୍କରେ ଭୁବନେଶ୍ୱର ଡିସିପି ଡ. ଉମାଶଙ୍କର ଦାସ କହିଛନ୍ତି ଏହାଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୁଲିସ ତଦନ୍ତ ପାଇଁ ଏକ ଟିମ୍‍ ଗଠନ କରିଛି। ମହିଳା ବିରୋଧୀ ଅପରାଧର ତଦନ୍ତକାରୀ ୟୁନିଟ୍‍(ଆଇୟୁସିଏଡବ୍‍ଲ୍ୟୁ)କୁ ଏହାର ଦାୟିତ୍ୱ ଦିଆଯାଇଛି। ଜଣେ ଏସିପି ପାହ୍ୟାର ଅଧିକାରୀ ଏହାର ତଦନ୍ତ କରୁଛନ୍ତି।

ସୂଚନାଯୋଗ୍ୟ, ପୀଡ଼ିତାଙ୍କ ପରିବାରଙ୍କ ଘର କେନ୍ଦ୍ରାପଡାରେ। ପୀଡ଼ିତାଙ୍କ ମା’ ଏକ ଗଣମାଧ୍ୟମ କାର୍ଯ୍ୟାଳୟର ରିସେପ୍ସନ୍‍ରେ ଗତ ଜାନୁଆରୀ ମାସରେ କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କର ଏକ ୧୩ ବର୍ଷର ଝିଅକୁ ସେ ଘରେ ବନ୍ଦ କରି ବାହାରୁ ତାଲା ପକାଇ ପଡ଼ୋଶୀ କାବୁଲି ଜେନା ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀକୁ ଚାବି ଦେଇ ଅଫିସକୁ ଆସନ୍ତି। କରୋନା ପାଇଁ ମାର୍ଚ୍ଚ ୨୨ରୁ ଲକ୍‍ଡାଉନ୍‍ ଆରମ୍ଭ ହୋଇଥିଲା। ଏପ୍ରିଲ୍‍ ୧୦ ତାରିଖରେ ସେ ହଠାତ୍‍ ଏକ ଖବର ପାଇ ଘରକୁ ଯାଇ ପହଞ୍ଚିବାପରେ ଝିଅଠାରୁ ସମସ୍ତ ଘଟଣା ଶୁଣିବାପରେ ପଡ଼ୋଶୀ ଘର କାବୁଲିକୁ ପଚରାଉଚରା କରିଥିଲେ। ତେବେ ଏହା ପ୍ରଘଟ ହୋଇଯିବା ଆଶଙ୍କା ମା’ ଓ ଝିଅଙ୍କୁ ହତ୍ୟା ଧମକ ଦେଇଥିଲେ। ଫଳରେ ମା’ ଓ ଝିଅ ଦୁହେଁ ଗାଁକୁ ପଳାଇଥିଲେ। କରୋନା ମହାମାରୀ ପରିସ୍ଥିତିରେ ସୁଧାର ଆସିବାପରେ ଗତ ଅଗଷ୍ଟ ୩୦ରେ ସେମାନେ ଗାଁରୁ ଫେରି ପ୍ରଥମେ ଇନ୍‍ଫୋସିଟି ଥାନାରେ ଏବଂ ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ।
ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି, ଗତ ଏପ୍ରିଲ୍‍ ପ୍ରଥମ ସପ୍ତାହରେ ପଡ଼ୋଶୀ କାବୁଲି ନାବାଳିକା ଘରେ ଏକାକୀ ରହୁଥିବା ଜାଣି ତାଙ୍କ ପୁଅ ହାତରେ ଘରକୁ ଡକାଇ ଥିଲେ। ନାବାଳିକା ସହିତ ଜଣାଶୁଣା ହେବା ପରେ ପ୍ରଫୁଲ୍ଲ ପାତ୍ର ନାମକ ଅନ୍ୟଜଣେ ସହଯୋଗୀ ସହିତ ତାଙ୍କ ଘରକୁ ଯାଇ ନାବାଳିକାଙ୍କ ନଗ୍ନ ଫଟୋ ଉଠାଇଥିଲେ। ଲକ୍‍ଡାଉନ୍‍ ଥିବାରୁ ଲୋକଙ୍କର ବେଶୀ ଚଳପ୍ରଚଳ ନ ଥିଲା। ତେବେ ପରେ ଏହି ଘଟଣାରେ ଗଣମାଧ୍ୟମର ସିକ୍ୟୁରିଟି ଇନ୍‍ଚାର୍ଜ ବିଜୟ ରାଉତ, କୃଷ୍ଣଚନ୍ଦ୍ର ବେହେରା, ଅନିରୁଦ୍ଧ ପଣ୍ଡା, ବିମଳ ସାମଲ୍‍ ଆଦି ସେମାନଙ୍କ ସହିତ ସାମିଲ୍‍ ହୋଇ ଏକାକୀ ଥିବା ପୀଡ଼ିତାଙ୍କୁ ବ୍ଲାକ୍‍ ମେଲିଂ କରିବା ସହିତ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ତେବେ ଅଭିଯୁକ୍ତଙ୍କର ପାଶବିକ ଅତ୍ୟାଚାର ପ୍ରାୟ ୧୦ଦିନ ଧରି ଚାଲିବାରୁ ନାବାଳିକା ଜଣକ ଅସହ୍ୟ ହୋଇପଡ଼ିଥିଲେ। ବାଧ୍ୟ ହୋଇ ମା’ଙ୍କ ସାମ୍‍ନାରେ ମୁହଁ ଖୋଲିଥିଲେ। ହେଲେ ଅଭିଯୁକ୍ତଙ୍କ ସଂଖ୍ୟା ଅଧିକ ତଥା ପୁଲିସ ଏବଂ ଗଣମାଧ୍ୟମର କର୍ମଚାରୀ ହୋଇଥିବାରୁ ସେମାନେ ମା’ ଓ ଝିଅ ଦୁଇଜଣଙ୍କୁ ଭୟଭୀତ କରି ଏଠାରୁ ତଡ଼ି ଦେଇଥିଲେ।

Leave a comment