ଚଳନ୍ତା କାରରେ ଯୁବତୀଙ୍କୁ ବଳାତ୍କାର କରି ରାସ୍ତାରେ ଫିଙ୍ଗିଦେଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳନ୍ତା କାରରେ ଯୁବତୀଙ୍କୁ ବଳାତ୍କାର କରି ରାସ୍ତା କଡରେ ଫିଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ । ଏଭଳି ଘଟଣା ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଅଞ୍ଚଳରେ ଘଟିଯାଇଛି । ଖୋର୍ଦ୍ଧା ଆଦର୍ଶ ଥାନା ଅଧିନସ୍ଥ ପିଏନ କଲେଜ ନିକଟ ଶ୍ମଶାନ ପାଖରୁ ପିଡ଼ିତା ଯୁବତୀଙ୍କୁ ର୍ମୁମୁଷ ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳର ପୀଡିତା ଯୁବତୀ ଖୋର୍ଦ୍ଧାରେ ନିଜ ମା’ଙ୍କ ସହ ରୁହନ୍ତି । ବୁଧବାର ସେ ନିଜ କାମରେ ଭୁବନେଶ୍ୱର ଆସିଥଲେ । ଖଣ୍ଡଗିରି ଛକରେ ଛିଡ଼ାହୋଇଥିବା ସମୟରେ ସେ ଖୋର୍ଦ୍ଧା ଫେରିବାକୁ ଏକ କାରକୁ ଲିଫ୍ଟ ମାଗିଥିଲେ । ପରେ ସେହି ଗାଡ଼ିରେ ଅନ୍ୟ ଦୁଇଜଣ ଯୁବକ ଚଢିଥିଲେ । ଉକ୍ତ ଯୁବକ ମାନେ ପିଡ଼ିତା ଯୁବତୀଙ୍କୁ ଗଣବଳାତ୍କାର କରିବା ସହ ତାଙ୍କ ପୋଷାକ ପତ୍ର ଚିରିଦେଇଥିଲେ । ଶେଷରେ ତାଙ୍କୁ ଖୋର୍ଦ୍ଧା ଆଦର୍ଶ ଥାନା ଅଧିନସ୍ଥ ପିଏନ କଲେଜ ନିକଟ ଶ୍ମଶାନ ପାଖ ରାସ୍ତା କଡ଼କୁ ଫିଙ୍ଗି ଫେରାର ହୋଇଯାଇଥିଲେ । ର୍ମୁମୁଷ ଅବସ୍ଥାରେ ଯୁବତୀଙ୍କୁ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଦମକଳବାହୀନି ପହଂଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଖୋର୍ଦ୍ଧା ଓ ଭୁବନେଶ୍ୱର ପୁଲିସ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି । ଦୁଷ୍କର୍ମକାରୀଙ୍କୁ ଯୁବତୀ ଚିହ୍ନି ଥିବାରୁ ପୁଲିସ ସେମାନଙ୍କୁ ଧରିବା ଲାଗି ଚଢାଉ ଜାରି ରଖିଛି ।
ଘଟଣାଟି ଭୁବନେଶ୍ୱରରେ ଘଟିଥିବାରୁ ଖୋର୍ଦ୍ଧା ପୋଲିସ ଖଣ୍ଡଗିରି ପୋଲିସ ସହ ଯୋଗାଯୋଗ କରିଥିଲେ । ଖଣ୍ଡଗିରି ପୁଲିସ ଖୋର୍ଦ୍ଧା ହସ୍ପିଟାଲରେ ପହଞ୍ଚି ତଦନ୍ତରେ ସହଯୋଗ କରିଛି । ପୀଡିତାଙ୍କ ବୟାନକୁ ଆଧାର କରି ପୋଲିସ ଜଟଣୀ, ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରେ ଚଢଉ ଆରମ୍ଭ କରିଛି । ସେପଟେ ପୀଡିତାଙ୍କ ଡାକ୍ତାରୀମାଇନା ସହ ୧୬୧ ଧାରାରେ ବୟାନ ରେକର୍ଡ କରି ଛାନଭିନ ଆରମ୍ଭ କରିଛି ପୋଲିସ । ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖିଛି । ଏଥିସହିତ ବ୍ୟବହୃତ କାରକୁ ମଧ୍ୟ ଠାବ କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ଟ୍ୱିଟ କରି ଜଣାଇଛନ୍ତି । ଖୋର୍ଦ୍ଧା ଓ ଭୁବନେଶ୍ୱର ପୋଲିସ ମିଳିତ ଭାବେ ଛାନଭିନ କରୁଛନ୍ତି ।