କେନ୍ଦ୍ରାପଡା ନହେଲେ ବୈଜୟନ୍ତ ଲଢ଼ିବେ କେଉଁଠୁ , ଜାଣନ୍ତୁ…..

0

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ବିଜେଡିରୁ ବିତାଡ଼ିତ ହେବାପରେ ବୈଜୟନ୍ତଙ୍କ ପରବର୍ତ୍ତୀ ରଣନୀତି ନେଇ ସାରା ଓଡ଼ିଶାର ନଜର ରହିଛି । କେନ୍ଦ୍ରାପଡ଼ା ଆସନରୁ ଲଗାତାର ଜିତି ଆସିଥିବା ବୈଜୟନ୍ତ କୁଆଡ଼େ ଯିବେ ସେଥିପାଇଁ କସରତ ଲାଗିରହିଛି । କେତେବେଳେ ବିଜେପିରେ ଯୋଗଦେବେ ତ କେତେବେଳେ କଂଗ୍ରେସରେ ଯୋଗଦେବେ ଏହି ଚର୍ଚ୍ଚା ଚାଲୁଛି । ହେଲେ ରାହୁଲ ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ଇତି ମଧ୍ୟରେ ଏକାଧିକ ଥର ଓଡିଶା ଗ୍ରସ୍ତ କରିସାରିଲେଣି । କିନ୍ତୁ ବୈଜୟନ୍ତ ବିଜେପି କି କଂଗ୍ରେସରେ ମିଶିବା ନେଇ କୌଣସି ଟେର ମିଳିନାହିଁ । ନିକଟରେ ଏମିତି ହୋଇଥିଲାଯେ ସେ ସ୍ୱାଧୀନ ଭାବରେ କେନ୍ଦ୍ରାପଡାରୁ ଲଢ଼ିବେ ଓ ଉଭୟ ବିଜେପି, କଂଗ୍ରେସ ତାଙ୍କୁ ସମର୍ଥନ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ରାଜନୈତିକ ସମୀକ୍ଷକମାନେ ଏହାକୁ ହେୟ ଜ୍ଞାନ କରିନଥିଲେ । ମାତ୍ର ନିକଟରେ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସର ପୂର୍ବରୁ ଦବଦବା ଥିବା ଗୋଟିଏ ଆସନ ଉପରେ ବୈଜୟନ୍ତଙ୍କ ନଜର ରହିଛି । ଏକଦା କଂଗ୍ରେସରୁ ପ୍ରଧାନମନ୍ତ୍ରୀ ଥାଇ ପି.ଭି. ନରସିଂମ୍ହା ରାଓ ଲଢ଼ିଥିବା ବହୁ ଚର୍ଚ୍ଚିତ ବ୍ରହ୍ମପୁର ଆସନ ଉପରେ ରହିଛି ବୈଜୟନ୍ତଙ୍କ ନଜର । ଏହା ସମସ୍ତଙ୍କୁ ଚକିତ କରୁଥିଲେ ମଧ୍ୟ ବୈଜୟନ୍ତଙ୍କ ପରବର୍ତ୍ତୀ ଲକ୍ଷ ବ୍ରହ୍ମପୁର ହିଁ ରହିଛି । କାରଣ ବ୍ରହ୍ମପୁରରେ କଂଗ୍ରେସର ବେଶ ଭୋଟ ରହିଛି । ସେଠାରେ ଚନ୍ଦ୍ରଶେଖର ସାହୁ କଂଗ୍ରେସର ହାତ ଛାଡିବା ପରେ କଂଗ୍ରେସ ପାଖରେ ସେପରି ଭଲ ପ୍ରାର୍ଥୀ ନାହାନ୍ତି ଏବଂ କଂଗ୍ରେସର ସହଯୋଗୀ ବାମପନ୍ଥୀଙ୍କର ମଧ୍ୟ ସେଠି କିଛିପରିମାଣରେ ଦବଦବା ରହିଛି । ତେଣୁକରି କଂଗ୍ରେସ ଏବଂ ବାମପନ୍ଥୀ ଭୋଟର ମିଶ୍ରଣ ଓ ବିଜେଡି ବିରୁଦ୍ଧରେ ପ୍ରତିଫଳିତ ହେଉଥିବା କିଛି ଶାସନ ବିରୋଧୀ ଭୋଟ କୁ ନେଇ ବ୍ରହ୍ମପୁରରୁ ବୈଜୟନ୍ତ ପ୍ରାର୍ଥୀ ହୋଇ ପାରନ୍ତି । କିଛି ସିପିଆଇଏମ ଓ ସିପିଆଇ ନେତା ସେଥିପାଇଁ ବୈଜୟନ୍ତଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ଏନେଇ ରବିବାର ଅର୍ଥାତ ଫେବୃଆରୀ ୧୭ ତାରିଖ ଏବଂ ଫେବୃଆରୀ ୧୬ ତାରିଖ ରେ ଆଲୋଚନା ହୋଇଛି । ଯଦି ଏ ଭିତରେ ବୈଜୟନ୍ତ କଂଗ୍ରେସ ଓ ସିପିଆଇ କଥାରେ ରାଜି ହୋଇଯାଆନ୍ତି ତେବେ ବୈଜୟନ୍ତ ବ୍ରହ୍ମପୁରରୁ ଲଢ଼ିବା କିଛି ଅସମ୍ଭବ ନୁହେଁ ।

ସୂଚନା ଅନୁଯାୟୀ, ୨୦୦୪ ରେ ଶେଷଥର ପାଇଁ ଚନ୍ଦ୍ରଶେଖର ସାହୁ ଏହି ଆସନରୁ ବିଜୟୀ ହୋଇ କେନ୍ଦ୍ରରେ ଗ୍ରାମ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ହୋଇପାରିଥିଲେ । ବର୍ତ୍ତମାନ ଲୋକପ୍ରିୟ ସିନେ ତାରକା ସିଦ୍ଧାନ୍ତ ମହାପାତ୍ର ସେଠାରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ଏବଂ ଭିତରି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଜେଡିର ଯୁବ ନେତୃତ୍ୱ ସିଦ୍ଧାନ୍ତଙ୍କୁ ପୁନର୍ବାର ପ୍ରାର୍ଥୀ କରିବାକୁ ଚାହୁଁନାହିଁ । ଚନ୍ଦ୍ରଶେଖର ସାହୁ ବିଜେଡିରୁ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ । ଅପରପକ୍ଷରେ ବିଜେଡିର ଉଷାଦେବୀଙ୍କ ପୁଅ ମଧ୍ୟ ସେହିସ୍ଥାନରୁ ଲଢ଼ିବା ପାଇଁ ଆଶା କରିଛନ୍ତି । ତେଣୁ ଉଷାଦେବୀଙ୍କ ପୁଅ ଓ ଚନ୍ଦ୍ରଶେଖରଙ୍କ ମଧ୍ୟରେ କାହାକୁ ଟିକେଟ ମିଳିବ ଏହାକୁ ନେଇ ରାଜନୈତିକ ମହଲ ସରଗରମ ହୋଇଛି ।

Leave a comment