ହକି ବିଶ୍ୱକପ: ଆଜିଠୁ ଅନଲାଇନରେ ଟିକେଟ ବିକ୍ରି, ପ୍ରଥମ ଟିକେଟ କିଣି ଉଦଘାଟନ କଲେ ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ହକି ଇଣ୍ଡିଆର ସିଇଓ ଏଲାନା ନରିମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ ଦେଇଥିଲେ। ଏଥିପାଇଁ ନବୀନ ୫୦୦ ଟଙ୍କା ମଧ୍ୟ ଦେଇଥିଲେ । ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ବଲିଉଡ କଳାକାର ଶାହାରୁଖ ଖାନ, ଓସ୍କାର ବିଜେତା ଏ.ଆର ରେହମାନ ଯୋଗ ଦେଉଥିବାରୁ ଏହାକୁ ନେଇ ହକିପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ରହିଛି। ତେବେ ଏହି ସମୟରେ ଦେଶ ଓ ବିଦେଶରୁ ଆସୁଥିବା ଅତିଥିଙ୍କ ସହିତ କେମିତି କଥାବାର୍ତ୍ତା କରାଯିବ? ଡ୍ରେସ କୋଡ୍ କିପରି ରହିବ? ଆଚରଣ ଓ ଉଚ୍ଚାରଣ କେମିତି କରାଯିବ? ସେ ନେଇ ସଲିସ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏୟାରହୋଷ୍ଟେସ ଶିକ୍ଷାନୁଷ୍ଠାନ ଫ୍ରାଙ୍କଫିନ୍ର ଟ୍ରେନର୍ ୨ଦିନ ଧରି ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।
ନଭେମ୍ବର ୨୮ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ । ଏହାପୂର୍ବରୁ ଉଦ୍ଘାଟନୀ ଉତ୍ସବ ପାଇଁ ଆଜି ମଧ୍ୟାହ୍ନ ୧୨ଟାରୁ ଅନଲାଇନରେ ଟିକେଟ୍ ଉପଲବ୍ଧ ହେବ । ହକି ପ୍ରେମୀମାନେ ticketgenie.in ସାଇଟ୍ କ୍ଲିକ୍ କରି ଟିକେଟ୍ ବୁକ୍ କରାଇପାରିବେ ।
ସୂଚନା ଅନୁଯାୟୀ, ହକି ବିଶ୍ୱକପର ଉଦ୍ଘାଟନୀ ଉତ୍ସବ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମେ ୨୭ରେ କଳିଙ୍ଗ ଷ୍ଟାଡିୟମ୍ ଓ ୨୮ରେ ବାରବାଟୀରେ ହକି ଉଦ୍ଘାଟନୀ ଉତ୍ସବ ହେବ । ଓସ୍କାର ବିଜେତା ବଲିଉଡ ଗାୟକ ଏ.ଆର ରେହମାନ ଉଦ୍ଘାଟନୀ ଉତ୍ସବରେ ସଙ୍ଗୀତ ପରିବେଷଣ କରିବେ। ଏହାସହ ବଲିଉଡ ବାଦଶାହ ଶାହାରୁଖ ଖାନ୍ ଓ ବାହୁବଳୀ ଫେମ୍ ପ୍ରଭାସ ଯୋଗଦେବେ ବୋଲି ଜଣାପଡିଛି।