ଲୋକସଭାରେ ବିଶୃଙ୍ଖଳା କରିବା ପଡିଲା ଭାରି; କଂଗ୍ରେସର ୪ ସାଂସଦ ହେଲେ ନିଲମ୍ବିତ

ବାରମ୍ବାର ସଂସଦର କାର୍ଯ୍ୟବାହୀରେ ବାଧା ସୃଷ୍ଟି କରି ମୌସୁମୀ ଅଧିବେଶନର ଅବଶିଷ୍ଟ ଦିବସରୁ ନିଲମ୍ବିତ ହେଲେ କଂଗ୍ରେସର ୪ ଜଣ ଲୋକସଭା ସାଂସଦ । ଲୋକସଭାରେ ବିଶୃଙ୍ଖଳା ଓ ଗରିମା ନଷ୍ଟ ଅଭିଯୋଗ ପ୍ରସ୍ତାବ ଉପରେ ବିଚାର କରି ୪ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତିଙ୍କ ଅନୁପସ୍ଥିତିରେ ଅଧ୍ୟକ୍ଷତା କରୁଥିବା ଅଧ୍ୟକ୍ଷ ରାଜେନ୍ଦ୍ର ଅଗ୍ରୱାଲ ।
ନିଲମ୍ବିତ ହୋଇଥିବା ସାଂସଦ ମାନେ ହେଲେ ରାମ୍ୟା ହରିଦାସ, ମନିକକାମ ଟାଗୋର, ଯୋଠିମନୀ ଓ ଟିଏନ ପ୍ରଥାପନ । ଏହି ସାଂସଦ ମାନେ ମୌସମୀ ଅଧିବେଶନର ଅବଶିଷ୍ଟ ଦିବସରେ ଲୋକସଭାକୁ ପ୍ରବେଶ କରିପାରିବେ ନାହିଁ ।
ସଂସଦ ନିୟମ ୩୭୪ ଆଧରରେ ଏହି ୪ ଜଣ ସାଂସଦଙ୍କ ବିରୋଧରେ ଜାଣିଶୁଣି ସଂସଦ କାର୍ଯ୍ୟରେ ବାଧା ଦେବା, ଜାଣିଶୁଣି ସଦନରେ ବିଶୃଙ୍ଖଳା କରିବା, ବାଚସ୍ପତି/ ଅଧ୍ୟକ୍ଷଙ୍କ କାର୍ଯ୍ୟରେ ବାଧା ଦେବା ଓ ସଂସଦ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଅଧ୍ୟକ୍ଷ ରାଜେନ୍ଦ୍ର ଅଗ୍ରୱାଲ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।