ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଏକାମ୍ର ପ୍ରକଳ୍ପ’ର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ମନ୍ଦିର ସମ୍ମୁଖରେ ପହଞ୍ଚି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପରେ ଯଜ୍ଞ ସ୍ଥଳୀକୁ ଯାଇ ଗତ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଯଜ୍ଞର ପୂର୍ଣ୍ଣାହୁତିରେ ସାମିଲ ହୋଇଥିଲେ । ଏକାମ୍ର ପ୍ରକଳ୍ପ ନିମନ୍ତେ ଜମି ପ୍ରଦାନ କରିଥିବା ୧୪ ଜଣ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ବ୍ରାହ୍ମଣ ନିଯୋଗ, ବଡ଼ୁ ନିଯୋଗ ଏବଂ ସମର୍ଥା ନିଯୋଗର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦାମୋଦର ବେଶର ଏକ ଫଟୋଚତ୍ର ପ୍ରଦାନ କରିଥିଲେ ।ଏହି ଅବସରରେ ବରିଷ୍ଠ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ୫-‘ଟି’ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ ।
ଏକାମ୍ର କ୍ଷେତ୍ରର ସୁବିଧା ଏବଂ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନା ତଥା ‘ଏକାମ୍ର ପ୍ରକଳ୍ପ’ ୨୦୧୯ ରେ ଆରମ୍ଭ କରାଯାଇଥିଲା । ବିଭିନ୍ନ ସ୍ମାରକୀ, ପବିତ୍ର ପୁଷ୍କରିଣୀ ଓ ଅନ୍ୟାନ୍ୟ ଜଳାଶୟର ପୁନରୁଦ୍ଧାର ସମେତ ଶ୍ରୀଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ର ୮୦ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ରଖାଯାଇଛି ।
ଜୁନ୍ ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ତିନି ଦିନିଆ ଉତ୍ସବରେ ପର୍ଯ୍ୟଟକ ଏବଂ ଭକ୍ତମାନେ ଏକାମ୍ର କ୍ଷେତ୍ରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରମ୍ପରାରେ ନିମଜ୍ଜିତ ରହିବାର ସୁଯୋଗ ପାଇଥିଲେ ।
ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ମୁକ୍ତେଶ୍ୱର ମନ୍ଦିର, ବିନ୍ଦୁସାଗର ପୁଷ୍କରିଣୀ ଏବଂ ଅନ୍ୟାନ୍ୟ ଛୋଟ ମନ୍ଦିରଗୁଡ଼ିକ ଆଲୋକମାଳାରେ ସୁସଜ୍ଜିତ ହୋଇ ଏକ ଅପୂର୍ବ ଆକର୍ଷଣୀୟ ପରିବେଶ ସୃଷ୍ଟି କରିଥିଲା ।
ପାରମ୍ପାରିକ ଯଜ୍ଞ ରୀତିନୀତି ମାଧ୍ୟମରେ ଏହି ଉତ୍ସବର ପବିତ୍ରତା ବୃଦ୍ଧି ପାଇ ଏକ ଶାନ୍ତ ତଥା ପବିତ୍ର ବାତାବରଣ ସୃଷ୍ଟି ହୋଇଥିଲା ।
ଧାର୍ମିକ ସମାରୋହ ବ୍ୟତୀତ, ଉପସ୍ଥିତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଆକର୍ଷଣୀୟ ସ୍କାଏ ପ୍ରୋଜେକ୍ସନ୍, ଲାଇଟ୍ ଏବଂ ସାଉଣ୍ଡ ସୋ, ଭଜନ ସମାରୋହ, ନୃତ୍ୟ ପ୍ରଦର୍ଶନ ସହ ପ୍ରକଳ୍ପର ମଡେଲ ଏବଂ ତଥ୍ୟସମ୍ବଳିତ ପ୍ରଦର୍ଶନୀ ଦେଖିବାର ସୁଯୋଗ ପାଇଥିଲେ ।
ପ୍ରଥମ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରର ପ୍ରନିତତ୍ତ୍ୱ ଏବଂ ପ୍ରନିତାତ୍ତ୍ୱିକ ଐତିହ୍ୟର ପୁନରୁଦ୍ଧାର ପରି ପ୍ରମୁଖ କାର୍ଯ୍ୟକ୍ରମର ରୂପାୟନ କରାଯିବ । ଯାନବାହନ ଚଳାଚଳକୁ ସୁଗମ କରିବା ନିମନ୍ତେ ୧୨ରୁ ୧୮ ମିଟର ଚଉଡ଼ା ରାସ୍ତା, ପଥଚାରୀଙ୍କ ପାଇଁ ୪ରୁ ୧୦ ମିଟର ଚଉଡ଼ା ଚଲାପଥ ଏବଂ ପାର୍କିଂ ବ୍ୟବସ୍ଥା କରାଯିବ । ଏଥି ସହ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଆନ୍ତଃସଂଯୋଗ କରୁଥିବା ମୁକ୍ତସ୍ଥାନ, ୩୦୦ ବର୍ଗମିଟରର ଦର୍ଶନ ସୁବିଧା, ଜରୁରୀକାଳୀନ ସେବା ନିମନ୍ତେ ୧୬୦୦ ବର୍ଗମିଟରର ସୂଚନା ଓ ନିୟନ୍ତ୍ରଣ କେନ୍ଦ୍ର, ବିନ୍ଦୁସାଗର ଚତୁଃପାଶ୍ୱର୍ରେ ଉତ୍ସର୍ଗୀକୃତ ଚଲାପଥ ନିର୍ମାଣ କରାଯିବ । ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ଓଡ଼ିଶା ସେତୁ ନିର୍ମାଣ ନିଗମକୁ ଦାୟିତ୍ୱ ଦିଆଯାଇଛି ଏବଂ ଉନ୍ନୟନ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ ।