ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠଙ୍କ ପରଲୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଜେପୁର ବିଧାୟକ ରିପୁନାଥ ସେଠଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ଆଜି ସକାଳେ ରିପୁନାଥ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ଅକାଳ ବିୟୋଗ ଖବର ଶୁଣି ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।
ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ରିପୁନାଥ ସେଠଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଶୋକବାର୍ତାରେ ରିପୁନାଥ ସେଠଙ୍କ ବିୟୋଗରେ ଦୁଃଖି ପ୍ରକାଶ କରିଛନ୍ତି । ସେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।
ସୂଚନା ଅନୁଯାୟୀ, ୧୯୫୮ ମସିହା ଅକ୍ଟୋବର ମାସରେ ବରଗଡ଼ ଜିଲ୍ଲା ବରପାଲି ସହରର ନୂଆପଡା ଠାରେ ରିପୁନାଥ ସେଠ ଜନ୍ମ ଗ୍ରହଣ କରିଥିଲେ। ସେ କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ରାଜୀବ ଗାନ୍ଧୀଙ୍କ ଅନୁପ୍ରାଣରେ ଅନୁମୋଦିତ ହୋଇ ସେ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୯୨ ମସିହାରେ ବରପାଲି ଏନ୍ଏସିରେ ରିପୁନାଥ ଚେୟାରମ୍ୟାନ୍ ହୋଇଥିଲେ। ପରେ ୧୯୯୫ ମସିହାରେ ବିଧାନସଭା ନିର୍ବାଚନରେ ବିଜେପୁର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ।୧୯୯୫-୨୦୦୦ ମସିହା ପର୍ଯ୍ୟନ୍ତ ରିପୁନାଥ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାସହ ଗତ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ।