ଗମାଙ୍ଗଙ୍କ ଢାମ୍ପରେ ଝୁମିଲେ ନାଚିଲେ ହେମା, ତାଳରେ ତାଳ ଦେଇ ନାଚିଲେ ଶହ ଶହ ଲୋକ
ଢାମ୍ପ ବଜାଉଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ । ନାଚୁଥିଲେ ତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ । ଏହାକୁ ମନଭରି ଉପଭୋଗ କରୁଥିଲେ ଶହ ଶହ ଲୋକ । ଏ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍ର ଖିଲାପଦର ଗାଁରେ । ଏଭଳି ଅବସର ଆଣିଥିଲା ଲାଞ୍ଜିଆ ସୌରା ସଂପ୍ରଦାୟର ବିରଳ ପର୍ବ କାର୍ଜ ।
ଦୀର୍ଘ ୨୫ ବର୍ଷ ପରେ ଗାଁରେ ପାଳନ କରାଯାଉଥିଲା ଏହି ସାମୂହିକା ପର୍ବ । ଏଥିରେ ଶ୍ରୀ ଗମାଙ୍ଗ ବଜାଇ ଚାଲିଥିଲେ ଢାମ୍ପ । ଅନ୍ୟ ମହିଳାଙ୍କ ସହ ନାଚିଥିଲେ ହେମା ।
ସୌରା ସଂପ୍ରଦାୟର ସାମୂହିକ ଭାବେ ପିତୃଶ୍ରାଦ୍ଧ କରିଥାନ୍ତି । ଏହାଦ୍ୱାରା ପରିବାର ଓ ଗାଁର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଥାଏ । ଦୀର୍ଘ ୨୫ ବର୍ଷ ପରେ ଖିଲାପଦର ଗାଁରେ ଏହି ପର୍ବ ପାଳନ କରାଯାଉଛି । ସୌରାମାନେ ନିଜ ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରି ଏହି ପର୍ବ ପାଳନ କରୁଛନ୍ତି । ଏହି ପର୍ବ ସମୟରେ ବାହାରେ ରହୁଥିବା ପରିବାରର ସମସ୍ତ ସଦସ୍ୟ ଘରକୁ ଫେରିଥାନ୍ତି । ବୁଧବାର ପର୍ବ ପାଳନ ଅବସରରେ ନିଜ ଗାଁ ମାଟିରେ ସାମିଲ ହୋଇଥିଲେ ହେମା । ଏହି ଅବସରରେ ନିଜ ଶ୍ୱଶୁର ଘର ଗାଁ ଖିଲାପଦରରେ ଢାମ୍ପ ବଜାଇଥିଲେ ଗିରିଧର । ପିତୃପୁରୁଷଙ୍କୁ ଆବାହନ ପାଇଁ ଗାଁର ସମସ୍ତେ ମିଳିମିଶି ଶ୍ମଶାନକୁ ଯାଇଥିଲେ । ସେଠାରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚଗୀତରେ ମସଗୁଲ ହୋଇଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଗିରିଧରଙ୍କ ଶଳା ତ୍ରିନାଥ ଗମାଙ୍ଗଙ୍କ ସମେତ ବିଧାୟକ ରଘୁନାଥ ଗମାଙ୍ଗ, ଗିରିଧରଙ୍କ ପୁଅ ଶିଶିର ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କମିଟି ଉପଦେଷ୍ଟା ସୁଧୀର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଥାଉକି, ଗିରିଧର ଜଣେ କଳା ଓ ସଂସ୍କୃତି ପ୍ରେମୀ । ଏଥିଲାଗି ଆଦିବାସୀ ଗାଁଗଣ୍ଡାରେ ହେଉଥିବା ବିଭିନ୍ନ ପର୍ବପର୍ବାଣୀକୁ ତାଙ୍କୁ ନିମନ୍ତ୍ରଣ କରାଯାଇଥାଏ । ନାଚଗୀତ ସମୟରେ ନିଜକୁ ନିୟନ୍ତ୍ରଣ କରିନପାରି ହାତକୁ ନେଇଥାନ୍ତି ଢାମ୍ପ । ଘଣ୍ଟା ଘଣ୍ଟା ଧରି ବଜାଇ ଚାଲିଥାନ୍ତି । ଖାସ୍ ଏଇଥିପାଇଁ ଢାମ୍ପ ବାଦ୍ୟ ପାଇଁ ତାଙ୍କୁ ମିଳିଛି ଡକ୍ଟରେଟ୍ ଉପାଧି । ଏବେ ଗାଁଗହଳିର ବିଭିନ୍ନ ସ୍ଥାନରେ ତାଙ୍କୁ ଦେଖିବାକୁ ମିଳୁଛି । ତାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ହେମା ।