ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ହୃଷିକେଶ ନାଏକ

0

ବିଜେଡି ଛାଡ଼ିଲେ କେନ୍ଦୁଝର ଜିଲ୍ଲା ପାଟଣାର ପୂର୍ବତନ ବିଧାୟକ ହୃଷିକେଶ ନାଏକ। ପାଟଣା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ରହିଥିବା ହୃଷିକେଶ, ଦଳରୁ ଅଣଦେଖା ଅଭିଯୋଗରେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ହୃଷିକେଶ ଗତ ୧୫ ତାରିଖରେ ନିଜ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।

ଗତ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ପାଟଣା ନିର୍ବାଚନମଣ୍ଡଳୀରୁ ବିଜେଡ଼ି ବିଧାୟକ ଟିକେଟ୍ ମିଳି ନଥିଲା । ପରେ ତାଙ୍କୁ ରାଜ୍ୟସଭା ପଠାଯିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ, ସେଭଳି କିଛି ହେଲା ନାହିଁ । ଶେଷରେ, ତାଙ୍କୁ ଦଳ ଅଣଦେଖା କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ନକରିବା ଓ ଦଳ ଗୁରୁତ୍ୱ ନଦେବାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଥିବା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଶିକ୍ଷକ ଚାକିରୀ ଛାଡ଼ି ହୃଷିକେଶ ନାଏକ ପ୍ରଥମ ଥର ୧୯୮୦ ମସିହାରେ ଲୋକଦଳରୁ ପାଟଣା ବିଧାୟକ ହୋଇଥିଲେ । ୧୯୮୫ ଓ ୧୯୯୫ ମସିହାରେ ସେ ୨ଥର କଂଗ୍ରେସ ଦଳରୁ ପାଟଣା ନିର୍ଵାଚନ ମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୨୦୦୪ ମସିହାରେ କଂଗ୍ରେସରୁ ଟିକେଟ ନପାଇ ସ୍ୱାଧୀନ ଭାବେ ଲଢ଼ି ପରାଜିତ ହୋଇଥିଲେ।

୨୦୦୭ ମସିହାରେ ବିଧିବଦ୍ଧ ଭାବେ ବିଜେଡି ଦଳରେ ଯୋଗ ଦେବାପରେ କ୍ରମାଗତ ୨୦୦୯ ଓ ୨୦୧୪ ମସିହାରେ ବିଜେଡି ଦଳରୁ ପାଟଣା ନିର୍ବାଚନ ମଣ୍ଡଳୀ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନରେ ହୃଷିକେଶଙ୍କ ବଦଳରେ ଯୁବନେତା ଜଗନ୍ନାଥ ନାଏକଙ୍କୁ ବିଜେଡି ଦଳରୁ ପ୍ରାର୍ଥୀ କରାଯାଇଥିଲା । ତେବେ ହୃଷିକେଶ ଆଗକୁ ନିର୍ବାଚନ ଲଢ଼ିବେ ବୋଲି କହିଥିବା ବେଳେ କେଉଁ ଦଳରୁ ନିର୍ବାଚନ ଲଢ଼ିବେ ତାହା ସ୍ପଷ୍ଟ ହୋଇନାହିଁ।

Leave a comment