ୟୁସିଡିଏ ନିର୍ବାଚନରେ ଜାଲିଆତି, ଭୋଟକୁ ଜୋରଦାର ବିରୋଧ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଂଘ ନିର୍ବାଚନରେ ବ୍ୟାପକ ଜାଲିଆତି ଅଭିଯୋଗ । ସାଧାରଣ ସଂପାଦକ ପ୍ରଶାନ୍ତ ମହାପାତ୍ର ଚଞ୍ଚକତା କରି ନିର୍ବାଚନ ଜିତିବାକୁ ହୀନ ପ୍ରୟାସ କରୁଥିବାରୁ ଏହାକୁ ଘୋର ବିରୋଧ କରାଯିବ ବୋଲି ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । କୌଣସି ପ୍ରକାରରେ ଭୋଟ ଗ୍ରହଣ କରାଇଦିଆଯିବନି ବୋଲି ଏକ ପ୍ରକାର ଚରମବାଣୀ ଶୁଣାଇଛନ୍ତି ।
ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ରାଜ୍ୟ ମୁଖପାତ୍ର ପ୍ରଗତିରଂଜନ ମହାନ୍ତି, ଗଣେଶ୍ୱର ନାୟକ, ଜୟପ୍ରକାଶ ପରିଡା ଓ ଆଶୟୀ ପ୍ରାର୍ଥୀ ବନୋଜ ଜେନା କହିଛନ୍ତି, ଆସନ୍ତା ୧୬ ତାରିଖରେ ସଂଘର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏଥିରେ ଅନେକ ଜାଲିଆତି କରାଯାଇଛି । ପ୍ରତି ୩ବର୍ଷରେ ଥରେ ସଂଘ ନିର୍ବାଚନ ହେବାର ନିୟମ ରହିଥିବା ଚଳିତ ଥର ୨୦୧୯-୨୦୨୨ ପର୍ଯ୍ୟନ୍ତ ନିର୍ବାଚନ କରାଯାଉଛି । ତେବେ ଖୋର୍ଦ୍ଧା ଜିଲ୍ଲା ସମେତ କେତେକ ଜିଲ୍ଲା ସଂଘର ନିର୍ବାଚନ ନକରି ବେଆଇନ ଭାବେ ରାଜ୍ୟ ସଂଘର ନିର୍ବାଚନ କରାଯାଉଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କୁ ରାଜ୍ୟ ନିର୍ବାଚନରେ ସାମିଲ ନକରି ଏକତରଫା ଭାବେ ଜିତିବା । ପରେ ସଂଘ ଅର୍ଥକୁ ହେରଫେର କରିବା ସହ ପୂର୍ବଥର ହୋଇଥିବା ଜାଲିଆତିକୁ ଘୋଡାଇବା । ପୂର୍ବରୁ ସଂଘ ନାଁରେ ଦୁଇଟି ଆକାଉଣ୍ଟ ଖୋଲି ସେ ୧୮ ହଜାର କର୍ମକର୍ତ୍ତାଙ୍କ ଟଙ୍କା ହଡପ କରୁଥିବା ଅଭିଯୋଗ ରହିଛି ।
ଏଥିପାଇଁ ବନୋଜ ଜେନାଙ୍କ ପ୍ରାର୍ଥୀପତ୍ରକୁ ନାକଜ କରାଯାଇଛି । ବନୋଜ ସଂଘର କର୍ମକର୍ତ୍ତା ତଥା ଭୋଟର ହିସାବରେ ନାମାଙ୍କନପତ୍ର ଦାଖଲ କରିଥିଲେ । ପ୍ରାଥମିକ ଭାବେ ନିର୍ବାଚନ ଦାୟିତ୍ୱରେ ଥିବା ପଦାଧିକାରୀ ସେମାନଙ୍କ ନାମାଙ୍କନ ପତ୍ର ଗ୍ରହଣ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଭୋଟର ତାଲିକାରେ ତାଙ୍କର ନାଁ ନଥିବା କହି ପ୍ରାର୍ଥୀପତ୍ରକୁ ନାକଚ କରିଦେଇଥିଲେ । ପ୍ରାର୍ଥୀପତ୍ର ନାକଚ ପଛରେ ସାଧାରଣ ସଂପାଦକ ଓ ତାଙ୍କ ସହଯୋଗୀଙ୍କ ପ୍ରଚ୍ଛନ୍ନ ହାତ ଥିବା ଜଣାପଡିଛି । ଏନେଇ ନିର୍ବାଚନ ପରିଚାଳନା କମିଟିକୁ ପଚାରିବାରୁ ତାଙ୍କୁ ଧମକଚମକ ଦିଆଯାଇଛି । ଏନେଇ ଥାନାରେ ଦୁଇଟି ଅଭିଯୋଗ ମଧ୍ୟ କରାଯାଇଛି । ତେବେ କୌଣସି ସୁଫଳ ନମିଳିବାରୁ ଆସନ୍ତାକାଲି ଚନ୍ଦ୍ରଶେଖରପୁରସ୍ଥିତ ପଦ୍ମଜା ପ୍ରିମିୟମ ହୋଟେଲରେ ଭୋଟ ଗ୍ରହଣ ହେଉଥିବାରୁ ସେଠାରେ ଘୋର ବିରୋଧ କରାଯିବ ସହ ଭୋଟ ଗ୍ରହଣକୁ ବାତିଲ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି ।