ଚଣ୍ଡୀ ମନ୍ଦିରରେ ବିଦେଶୀ ପର୍ଯ୍ୟଟକ
କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ମନ୍ଦିରରେ ରବିବାର କିଛି ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଥିଲେ । ଏହାକୁ ନେଇ ମନ୍ଦିର ପରିସରରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଚଣ୍ଡୀମନ୍ଦିର ବେଢା ଭିତରେ ବିଦେଶୀମାନେ ବୁଲୁଥିବା ଦେଖି କିଛି ଲୋକେ ଏହାର ବିରୋଧ କରିଥିଲେ । ଫଳରେ ଏହାକୁ ନେଇ ବିବାଦ ଉପୁଜିଥିଲା ।
ଟ୍ରଷ୍ଟ୍ର କିଛି କାର୍ଯ୍ୟକର୍ତ୍ତା ମଧ୍ୟ ଏହାକୁ ବିରୋଧ କରିଥିଲେ । ଅନ୍ୟପକ୍ଷରେ ମନ୍ଦିରକୁ ପୂର୍ବରୁ ଅନେକ ଥର ବିଦେଶୀ ଆସିଛନ୍ତି ଏବଂ ଏଥିରେ କୌଣସି ଅସୁବିଧା ନାହିଁ ବୋଲି ସେବାୟତଙ୍କ ତରଫରୁ କୁହାଯାଇଛି ।
ନିକଟରେ ପୁରୀ ଶ୍ରୀମନ୍ଦିରରେ ବିଦେଶୀଙ୍କ ପ୍ରବେଶ ଯୋଗୁଁ ବିବାଦ ଉପୁଜିଥିଲା । ଶ୍ରୀମନ୍ଦିରକୁ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ସ୍ୱତନ୍ତ୍ର କଟକଣା ରହିଥିବାରୁ ଏହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଆଜି ସମାନ ଧରଣର ଘଟଣା କଟକ ଚଣ୍ଡୀମନ୍ଦିରରେ ଦେଖିବାକୁ ମିଳିଥିଲା । ଦିନବେଳା ୪ଜଣ ବିଦେଶୀ ମହିଳା ଚଣ୍ଡୀମନ୍ଦିରରେ ପ୍ରବେଶ କରିଥିଲେ । ତାଙ୍କ ସହିତ କିଛି ସେବାୟତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ବିଦେଶୀମାନେ କେମିତି ମନ୍ଦିର ଭିତରକୁ ପ୍ରବେଶ କଲେ ତାକୁ ନେଇ ଏବେ ବିବାଦ ଉପୁଜିଛି ।
ଅନ୍ୟପକ୍ଷରେ ଚଣ୍ଡୀମନ୍ଦିରକୁ ବିଦେଶୀ ପ୍ରବେଶ କରିପାରିବେ କି ନାହିଁ ସେ ମଧ୍ୟ ଦ୍ୱନ୍ଦ୍ୱ ଦେଖାଯାଇଛି । ଏ ସମ୍ପର୍କରେ ବରିଷ୍ଠ ସେବାୟତ ମନୋଜ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ବିଦେଶୀ ମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ ବୋଲି ସେମିତି କିଛି ନିୟମ ନାହିଁ । ପୂର୍ବରୁ ଅନେକ ଥର ବିଦେଶୀ ପର୍ଯ୍ୟଟକ ମନ୍ଦିରକୁ ଆସି ଫେରିଛନ୍ତି । ତେଣୁ ଏଥିରେ ଆଚମ୍ବିତ ହେବାର କିଛି ନାହିଁ ।
ଅନ୍ୟପକ୍ଷରେ ମନ୍ଦିର ଟ୍ରଷ୍ଟ୍ ବୋର୍ଡ ସଦସ୍ୟ ତନ୍ମୟ ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ପୂର୍ବରୁ ଏମିତି ଘଟଣା କେବେ ଘଟିଥିବା ମୋର ମନେ ପଡୁନାହିଁ । ମନ୍ଦିରରେ ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି ।