ଔଷଧ କମ୍ପାନୀ ପଇସାରେ ବିଦେଶ ବୁଲୁଛନ୍ତି ଡାକ୍ତର !

ସିନର୍ଜୀ କେଳେଙ୍କାରୀ-୧

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଅନୈତିକ ଉପାୟ ଆପଣାଇ ଗୋଟିଏ ଔଷଧ ବିତରଣ କମ୍ପାନୀ ମାଲାମାଲ ହେବାରେ ଲାଗିଛି। ଆଉ ସେହି କମ୍ପାନୀକୁ ଫାଇଦା ଦେବା ପାଇଁ ଜଣେ ଡାକ୍ତର ବାରମ୍ବାର ଅନୁଗୃହୀତ ହୋଇଛନ୍ତି। ଏପରିକି ଔଷଧ କମ୍ପାନୀ ଅର୍ଥରେ ବିଦେଶ ବୁଲି ଆସିଛନ୍ତି। ଏପରି ଏକ ସାଙ୍ଘାତିକ ଓ ଗୁରୁତର ଅଭିଯୋଗ ଭୁବନେଶ୍ବରର ଏକ ଔଷଧ କମ୍ପାନୀ ଏବଂ ଇଏସ୍ଆଇ ହସ୍ପିଟାଲର ଡାକ୍ତରଙ୍କ ବିରୋଧରେ ଆସିଥିବା ଅଭିଯୋଗ ହୋଇଛି। ଏ ନେଇ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି।

ଅଭିଯୋଗ ଅନୁସାରେ, ବିଦେଶ ବୁଲିଥିବା ଡାକ୍ତର ଜଣକ ହେଲେ ଇଏସଆଇ ହସ୍ପିଟାଲର ଡାକ୍ତର ଗୌତମ ସାହୁ। ସେଠାରେ ସେ ମେଡ଼ିସିନ ସ୍ପେସିଆଲିଷ୍ଟ ଦୀର୍ଘ ବର୍ଷ ଧରି ରହିଛନ୍ତି ବୋଲି କୁହାଯାଉଛି। ଦୀର୍ଘ ବର୍ଷ ରାଜଧାନୀରେ ରହିବାର ଫାଇଦା ଉଠେଇ ସେ ଇଏସ୍ଆଇ ହସ୍ପିଟାଲରେ ନିଜ ଇଛା ଅନୁସାରେ କାରବାର କରୁଥିବା କୁହାଯାଉଛି।

ଭୁବନେଶ୍ୱରର ଏକ ଔଷଧ ବିତରଣ କମ୍ପାନୀ ସିନର୍ଜୀ ଆସୋସିଏଟସକୁ ଅନୁଗ୍ରହ ଦେଖେଇବାକୁ ଯାଇ ଡାକ୍ତର ଜଣକ କମ୍ପାନୀ ଅର୍ଥରେ ଦୁବାଇ ଆଦି ବିଦେଶ ବୁଲିଥିବା ଅଭିଯୋଗ ହୋଇଛି।

ସିନର୍ଜୀ ଔଷଧ କମ୍ପାନୀ ଗତ କିଛି ବର୍ଷ ମଧ୍ୟରେ ପ୍ରତିଷ୍ଠା ହୋଇ ଅନୈତିକ ଉପାୟରେ ବିଭିନ୍ନ ସରକାରୀ ପ୍ରତିଷ୍ଠାନକୁ ଔଷଧ ଯୋଗାଇ ଦେଉଥିବା ଅଭିଯୋଗ ଉଠିଛି। ଏଥିରେ ମୁଖ୍ୟ ଭୂମିକା କମ୍ପାନୀର ମୁଖ୍ୟ ମନୋଜ ପଣ୍ଡା ଗ୍ରହଣ କରିଥିବା ନେଇ ରାଜଧାନୀରେ ଚର୍ଚ୍ଚା ହେଉଛି। କେଉଁ ଏକ ଛୋଟିଆ କମ୍ପାନୀରେ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍ ଥିବା ମନୋଜ ପଣ୍ଡା ଏଇ କିଛି ବର୍ଷ ମଧ୍ୟରେ କୋଟି କୋଟି ଟଙ୍କାର ମାଲିକ ହୋଇ ପାରିଛନ୍ତି। ଏଥିପାଇଁ ଯାହାକୁ ଯାହା ଦରକାର ମନୋଜ ତାକୁ ଯୋଗେଇ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ତାଲିକାରେ ନାଲକୋ ଓ ପାରାଦୀପ ପୋର୍ଟ ପରି ବଡ଼ ବଡ଼ କମ୍ପାନୀ ରହିଛନ୍ତି। ମନୋଜଙ୍କ କାର୍ଯ୍ୟକଳାପ ହେତୁ ଇସଆଇ ହସ୍ପିଟାଲରୁ ସିନର୍ଜୀ କମ୍ପାନୀ ଏକା କେବଳ କୋଟି କୋଟି ଟଙ୍କାର ଔଷଧ ଯୋଗେଇ ଦେଇ ପ୍ରଚୁର ଲାଭ କମାଉଛି। ଏଥିରେ ସମ୍ପୃକ୍ତ ଡାକ୍ତର ଜଣକ ସହାୟତାର ହାତ ବଢ଼େଇ ଦେଇଛନ୍ତି ବୋଲି କୁହାଯାଉଛି। ମନୋଜଙ୍କ ଅର୍ଥ ଉପାର୍ଜନର ସୂତ୍ର ସମ୍ପର୍କରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି ଉଠିଛି।

ଅନେକ ବଡ଼ ବଡ଼ କମ୍ପାନୀର ଔଷଧ ସିନର୍ଜୀ ସପ୍ଲାଇ କରୁଛି। ବଡ଼ ବଡ଼ ହସ୍ପିଟାଲ ଓ କମ୍ପାନୀକୁ ଏହା ଯାଉଛି। କିନ୍ତୁ ସେହିସବୁ କମ୍ପାନୀର ନୀତି ନିୟମକୁ ଜଳାଞ୍ଜଳି ଦେଇଥିବା କୁହାଯାଉଛି। ତେଣୁ ମାମଲାର ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ତଦନ୍ତ ତୁରନ୍ତ କରିବା ପାଇଁ ଦାବି ଜୋରଦାର ହୋଇଛି।

Leave a comment