ଜାଗାମିଶନ ସର୍ଭେ ନାଁରେ ରାଜନୀତିକରଣ ବନ୍ଦ କରନ୍ତୁ ରାଜ୍ୟ ସରକାର: ବାବୁ ସିଂ

ବସ୍ତିବାସିନ୍ଦାଙ୍କ ହକ୍ ପାଇଁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ବିଏମ୍‌ସି ଅଫିସ ଘେରାଉ

0

ଭୁବନେଶ୍ୱର(ଓଡିଶାଫାଷ୍ଟ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂମିହୀନମାନଙ୍କୁ ଜାଗା ବଂଟନ କରିବେ ବୋଲି ଡିଣ୍ଡିମ ପିଟୁଛନ୍ତି । ରାଜ୍ୟ ସରକାର ଜାଗା ମିଶନ ନାଁରେ ସହରବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ଏହି ଷଡଯନ୍ତ୍ରର ବେଶୀ ଶିକାର ହେଉଛନ୍ତି ରାଜଧାନୀ ଭୁବନେଶ୍ୱରରେ ବସବାସ କରୁଥିବା ବସ୍ତିବାସୀ । ରାଜଧାନୀରେ ୪୩୬ଟି ପଂଜୀକୃତ ବସ୍ତି ଥିବାବେଳେ ବର୍ତମାନ ସୁଦ୍ଧା ମାତ୍ର ୧୨୫ଟି ବସ୍ତିର ସର୍ଭେ କାର୍ଯ୍ୟ ଶେଷ ହୋଇଛି । ଏନେଇ ବସ୍ତିବାସିନ୍ଦା ବାରମ୍ବାର ବିଏମ୍‌ସି ଅଫିସ ଦୌଡୁଛନ୍ତି କିନ୍ତୁ କିିଛି ସୁଫଳ ମିଳୁନାହିଁ । ଶାସକ ବିଜେଡି ପକ୍ଷପାତିତା କରି ଦଳୀୟ ଆଧାରର ସର୍ଭେ କାର୍ଯ୍ୟ କରୁଥିବାରୁ ବହୁ ଯୋଗ୍ୟ ଘର ପାଇଁ ଜମିଟିଏ ପାଇବାରୁ ବଂଚିତ ହେଉଛନ୍ତି । ବିଏମସି ଅଧିକାରୀମାନେ ପାତର ଅନ୍ତର କରିବା ସହ ହାତଗୁଞ୍ଜା ନେଇ ପରିଚିତ ଲୋକଙ୍କୁ ତାଲିକାଭୁକ୍ତ କରୁଛନ୍ତି । ଯେଉଁମାନେ ତାଲିକାରୁ ବଂଚିତ ହୋଇଛନ୍ତି ସେମାନଙ୍କୁ ରାଜ୍ୟ ସରକାର ତୁରନ୍ତ ସର୍ଭେରେ ତାଲିକାଭୁକ୍ତ କରନ୍ତୁ ବୋଲି ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି ।

ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳର ସମସ୍ତ ବସ୍ତିବାସିନ୍ଦାଙ୍କ ହକ୍ ପାଇଁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ବସ୍ତିବାସିନ୍ଦା ଓ ବିଜେପି କାର୍ଯ୍ୟକର୍ତାଙ୍କ ଦ୍ୱାରା ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିଥିଲେ । ବସ୍ତିର ପଟ୍ଟାକୁ ବିଏମ୍‌ସି ଓ ରାଜ୍ୟ ସରକାର ଦଳୀୟ ଭିତରେ ପ୍ରୀୟାପ୍ରୀତି ଦେଖାଇ ବାଂଟୁଛନ୍ତି ଯାହାକୁ ଭାରତୀୟ ଜନତା ପାର୍ଟି ଆଦୌ ବରଦାସ୍ତ କରିବ ନାହିଁ । ବସ୍ତିବାସିନ୍ଦା ଗାଁଙ୍କୁ ରାଜ୍ୟ ସରକାର ତଡିବାର ଷଡଯନ୍ତ୍ର କରୁଛନ୍ତି । ଏହା ବିରୁଦ୍ଧରେ ବିଜେପି ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଚେତାବନୀ ଦେଇଛନ୍ତି ।

ଏହି ବିକ୍ଷୋଭରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ବିଜେପି ନେତ୍ରୀ ସୁନିତ ମୁଣ୍ଡ, ବିଏମ୍‌ସି କର୍ପୋରେଟର ରାମଚନ୍ଦ୍ର ରଣସିଂହ, ଧରିତ୍ରୀ ଜେନା, ଜୀବନ ରାଉତ, ଯଶୋଧରା ପ୍ରଧାନ, ଗୀତାଞ୍ଜଳୀ ସାହୁ, ଲକ୍ଷ୍ମୀପ୍ରିୟା ପରିଡା, ଜିଲ୍ଲା ବସ୍ତି ମହାସଂଘ ସଭାପତି ଅଞ୍ଜନ ନାଥ, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୋୟମ ସେବକ ରାୟ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ବିଜୟ ରାଉତ, ଜିତେନ୍ଦ୍ର ମହାନ୍ତି, ଅମରଜ୍ୟୋତି ଜଗଦ୍ଦେବ, ଶୋୟମ୍ଭୁ ପଟ୍ଟନାୟକ, ଜିଲ୍ଲା ଉପସଭାପତି ବିଭାସ ସେନପ୍ତା, ନିରଞ୍ଜନ ରାଉତରାୟ, ଦେବେନ୍ଦ୍ର ପତି, ରାଜେନ୍ଦ୍ର ଦାସ, ତୃପ୍ତିମଇ ମକଦ୍ଦମ, ଧୀରେନ ପାତ୍ର, ମନୋରଞ୍ଜନ ସ୍ୱାଇଁ, ସୁର ଜେନା, ଜିଲ୍ଲା ସମ୍ପାଦକ ଉନ୍ନତି ପରିଡା, ଆଶିଷ ମହାପାତ୍ର, ବିଷ୍ଣୁପ୍ରସାଦ ଦାସ, ତାପସ ଦଳାଇ, ବିନ୍ଦୁଲତା ବଳିଆରସିଂ, ରଜନୀବାଳା ଦାସ, ରଶ୍ମିତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment