ଖାଦ୍ୟ ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଓ ଉପ-ମୁଖମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ: ବିଜେଡି
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ମୃତ ଓ ୬ ଗୁରୁତର ହେବା ଘଟଣାରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରକୁ ସଂପୂର୍ଣ୍ଣ ଦାୟୀ ବୋଲି ଅଭିହିତ କରିବା ସହିତ ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଓ ଉପମୁଖମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦାୟିତ୍ଵହୀନ ମନ୍ତବ୍ୟ ପାଇଁ ସେ ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ଦାବୀ କରାଯାଇଛି।
ଆଜି ଶଙ୍ଖଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ରାଜ୍ୟରେ ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ଭୁଶୁଡି ପଡିବା କାରଣରୁ, କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗ୍ରାମର ଆଠଟି ପରିବାରର ମହିଳାମାନେ ଆମ୍ବ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହୋଇଥିଲେ। ରାଜ୍ୟବାସୀଙ୍କ ପାଖରେ ପିଡ଼ିଏସ ରାସନ ପହଞ୍ଚାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା କାରଣରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଚାରିଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତେଣୁ ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ତୁରନ୍ତ ଇସ୍ତଫା ଆମେ ଦାବୀ କରୁଛୁ। ତାଛଡା, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବିରୋଧରେ କ୍ରିମିନାଲ ନେଗଲିଜେନ୍ସ କେସରେ ଗିରଫ କରାଯାଉ।
ଡ଼ଃ ସାମନ୍ତସିଂହାର କହିଥିଲେ, ରାଜ୍ୟବାସୀଙ୍କୁ ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ମାଧ୍ୟମରେ ସୁନେଲି ସ୍ଵପ୍ନ ଦେଖାଇ ରାଜ୍ୟରେ ବିଜେପି କ୍ଷମତାକୁ ଆସିବାରେ ସଫଳ ହୋଇଥିଲା। କିନ୍ତୁ, ଗତ ଚାରିମାସରେ ରାଜ୍ୟର ଶାସନ ବ୍ୟବସ୍ଥା ହୁଗୁଳା ହୋଇ ଯାଇଛି, ଯାହା ଫଳରେ ଏପରି ଅଘଟଣ ଘଟି ଚାଲିଛି। ବିଜେପି ସରକାର ସ୍ୱପ୍ନର ସୌଦାଗରରୁ ମିଥ୍ୟାର ସୌଦାଗର ଓ ଏବେ ମୃତ୍ୟୁର ସୌଦାଗର ସାଜିଛନ୍ତି। ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଦିବାସୀ ହୋଇଥିବା ବେଳେ, ଦେଶର ଆଦିବାସୀ ବ୍ୟାପାର ମନ୍ତ୍ରୀ ଆମ ରାଜ୍ୟର ଆଦିବାସୀ ଓ ମହାମହିମ ରାଷ୍ଟ୍ରପତି ମଧ୍ୟ ଆମ ରାଜ୍ୟର ଆଦିବାସୀ ମହିଳା ଅଛନ୍ତି, କିନ୍ତୁ ଏହି ସମୟରେ ଆମ ରାଜ୍ୟର ଆଦିବାସୀ ଭଉଣୀ ଦୁଇ ଜଣ ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ ଖାଇ ମୃତ୍ୟୁ ବରଣ କରିଛନ୍ତି। ବିଜେପିର ଆଦିବାସୀ ପ୍ରୀତି କେବଳ ଭୋଟ ହାତେଇବା ପର୍ଯ୍ୟନ୍ତ ସୀମିତ। ରାଜ୍ୟର ଲୋକଙ୍କ ସୁବିଧା ଅସୁବିଧା ପାଇଁ ବିଜେପି ସରକାରଙ୍କ ଚିନ୍ତା ନାହିଁ। ଗୋଟିଏ ବ୍ୟବସ୍ଥିତ ବ୍ୟବସ୍ଥା ମାଧ୍ୟମରେ ପିଡ଼ିଏସ ବଣ୍ଟନ ଚାଲି ଆସୁଥିବା ବେଳେ ହଠାତ ବଣ୍ଟନ ବ୍ୟବସ୍ଥା ଭୁଶୁଡି ପଡିବା, ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି।
ଡ଼ଃ ସାମନ୍ତସିଂହାର ଆହୁରି ମଧ୍ୟ କହିଥିଲେ, ରାଜ୍ୟ ସରକାର ଶାସନ ଭାର ହାତକୁ ନେବା ପରଦିନ ଠାରୁ ପିଡ଼ିଏସ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀ ମାନଙ୍କୁ ଭୟଭୀତ କରିଆସୁଛନ୍ତି। ଇ-କେୱାଇସି ନକରିଲେ ସେମାନେ ତାଲିକାରୁ ବାଦ ପଡିବେ ବୋଲି କହି ଆସୁଛନ୍ତି। ରାଜ୍ୟର ଅନେକ ଅଞ୍ଚଳରେ, ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଇଣ୍ଟରନେଟ ନଥିବାରୁ ଇ-କେୱାଇସି କରିବା ପାଇଁ ସକ୍ଷମ ହେଉ ନାହାନ୍ତି। ଇଣ୍ଟରନେଟ ପ୍ରଦାନ କରିବାରେ ବିଫଳ ସରକାର କେଉଁ କାରଣରୁ ଇ-କେ୍ୱାଇସି ଲାଗୁ କରିବା ପାଇଁ ବାଧ୍ୟ କରୁଛନ୍ତି। ତାଛଡ଼ା, ରାଜ୍ୟ ସରକାରଙ୍କ ତିନିଜଣ ବରିଷ୍ଠ ମନ୍ତ୍ରୀ, ଯଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଳିଙ୍ଗ ଆମ୍ବ ଟାକୁଆ ଆଦିବାସୀ ମାନଙ୍କ ପାରମ୍ପରିକ ଖାଦ୍ୟ ବୋଲି ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜଣେ ଆଦିବାସୀ ଓ ମନ୍ତ୍ରୀ ମଣ୍ଡଳରେ ପ୍ରାୟ ଆହୁରି ଛଅ ଜଣ ଆଦିବାସୀ ମନ୍ତ୍ରୀ ଅଛନ୍ତି, ସେମାନେ ଆମ୍ବ ଟାକୁଆ ଆଦିବାସୀ ମାନଙ୍କ ଏକ ପାରମ୍ପରିକ ଖାଦ୍ୟ ମନ୍ତବ୍ୟ ସହିତ ଏକମତ ହେବେ କି? ସେମାନଙ୍କ ଘରେ ମଧ୍ୟ ଆମ୍ବ ଟାକୁଆ ଜାଉ ଖାଉଛନ୍ତି କି?
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳରେ ପିଡ଼ିଏସ ବଣ୍ଟନକୁ ସୁବ୍ୟବସ୍ଥିତ କରାଯାଇଥିଲା। ୨୦୦୦ ମସିହାରେ ରାଜ୍ୟରେ ନବୀନ ବାବୁ ଶାସନ ଭାର ନେଲା ସମୟରେ ରାଜ୍ୟର ୭୦ ପ୍ରତିଶତ ଲୋକ ଗରିବ ରେଖା ତଳେ ଥିଲେ ଯାହା ୨୦୨୪ ବେଳକୁ ୧୦ ପ୍ରତିଶତକୁ ଖସି ଆସିଥିଲା। ଆମ୍ବ ଟାକୁଆ ଖାଇ ମୃତ୍ୟୁ ହୋଇଥିବା ଘଟଣାରେ ରାଜ୍ୟ ସରକାରଙ୍କ ବିଫଳତା ଜଳ ଜଳ ହୋଇ ଦିଶୁଥିଲା ବେଳେ, ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଆରଡିସି ତଦନ୍ତ ଉପରେ ରାଜ୍ୟବାସୀଙ୍କ ଭରସା ନାହିଁ। ଗତ ଚାରିମାସରେ ବିଜେପି ସରକାରଙ୍କ ଦ୍ୱାରା ଘୋଷଣା କରା ଯାଇଥିବା ତଦନ୍ତ ପ୍ରହସନରେ ପରିଣତ ହୋଇଛି।
ମହାମହିମ ରାଜ୍ୟପାଳଙ୍କ ପୁଅ ବିରୋଧରେ ଆସିଥିବା ଅଭିଯୋଗ, ରଥଯାତ୍ରା ସମୟରେ ବଡ଼ ଠାକୁର ପଡିଯିବା ଘଟଣା, ଚିକିଟି ମଦମୃତ୍ୟୁ ଘଟଣା ବା ଭରତପୁର ଥାନାରେ ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଉପରେ ଅତ୍ୟାଚାର ଘଟଣା ହେଉ, ସମସ୍ତ ଘଟଣାରେ ତଦନ୍ତ ଶୀତଳ ଭଣ୍ଡାରରେ ରହିଛି। ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ, ବିଜେଡିର ଦାବୀ, ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଓ ତାଙ୍କ ବିରୋଧରେ କ୍ରିମିନାଲ ନେଗଲିଜେନ୍ସ କେସ ରୁଜୁ କରାଯାଉ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ତାଙ୍କର ଦାୟୀତ୍ୱହୀନ ମନ୍ତବ୍ୟ ପାଇଁ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ। ତାଛଡ଼ା ବ୍ୟବସ୍ଥା ବିଫଳ ହୋଇଥିବାରୁ, ଜିଲ୍ଲାପାଳ ସମେତ ଏଥିରେ ଦାୟୀ ଥିବା ସମସ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଡ଼ଃ ସାମନ୍ତସିଂହାର ଦାବୀ କରିଥିଲେ।