ଏବେବି ପାଣି ଘେରରେ ୩୪୦ ଗାଁ, ୨ ଲକ୍ଷ ୬୫ ହଜାର ଜଳବନ୍ଦୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶାରେ ବନ୍ୟା ଯୋଗୁଁ ୨୦ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏଥିରେ ୧୪ ଲକ୍ଷ ୩୨ ହଜାର ୭୦୧ଜଣ ପ୍ରଭାବିତ ହୋଇଛନ୍ତି। ୩୪୦ଟି ଗାଁ ଏବେ ସୁଦ୍ଧା ପାଣି ଘେରରେ ରହିଛି। ୨ ଲକ୍ଷ ୬୫ ହଜାର ୭୨୩ଜଣ ଜଳବନ୍ଦୀ ଅଛନ୍ତି।
ମହାନଦୀ ବନ୍ୟା ପ୍ରକୋପରେ ଆହୁରି ଅନେକ ଅଞ୍ଚଳ ଜଳମଗ୍ନ ହୋଇପାରେ। ତେଣୁ କ୍ଷୟକ୍ଷତି ପରିମାଣ ବଢ଼ିବା ଆଶଙ୍କା ରହିଛି। ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ ଲଗାଣ ବର୍ଷା ଓ ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଏସବୁ ଜିଲ୍ଲାର ୧୧୨ଟି ବ୍ଲକ ଅନ୍ତର୍ଗତ ୮୯୬ ପଞ୍ଚାୟତର ୩୨୫୬ ଗାଁ ପ୍ରଭାବିତ ହୋଇଛି । ଏହାବାଦ୍‌ ୨୧ଟି ପୌରାଞ୍ଚଳର ୭୫ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି ଲଗାଣ ବର୍ଷା ଓ ବନ୍ୟା ଯୋଗୁ ।
ବନ୍ୟା ସ୍ଥିତି ନେଇ ୪୫ଟି ଡାକ୍ତରୀ ଦଳ ବିଭିନ୍ନ ଅଞ୍ଚଳକୁ ପଠାଯାଇଛି। ପଶୁ ସମ୍ପଦର ଚିକିତ୍ସା ପାଇଁ ୪୨ଟି ଟିମ୍‌ ରହିଛନ୍ତି। ୩୫୭ଟି ରୋଷେଇ କେନ୍ଦ୍ର ଖୋଲା ଯାଇ ୫୭ ହଜାର ୮୨୪ଜଣ ବିପନ୍ନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି ।

Leave a comment