ଆସାମରେ ବନ୍ୟା: ୧୧୯ ଟ୍ରେନଯାତ୍ରୀଙ୍କୁ ଉଦ୍ଧାର କଲା ବାୟୁସେନା

ଗୁଆହାଟୀ : ପ୍ରବଳ ବର୍ଷା ଲାଗିରହିଥିବାରୁ ଆସାମର ୬ଟି ଜିଲ୍ଲାରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଜିଲ୍ଲାଗୁଡିକରେ ପ୍ରବାହିତ ହେଉଥିବା ସବୁ ନଦୀର ଜଳପତ୍ତନ ବିପଦ ସଙ୍କେତ ଟପିଥିବା କୁହାଯାଇଛି । ତେବେ ସବୁଠାରୁ କାଚାର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।
ରବିବାରଠାରୁ ୫ ଜଣ ନିଖୋଜ ରହିଥିବାବେଳେ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି । କାଚାର ଜିଲ୍ଲାରେ ୪୧ ହଜାର ଲୋକ ଜଳବନ୍ଦୀ ଥିବାବେଳେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରଚେଷ୍ଟା କରାଯାଉଛି । ସୋମବାର କାଚାର ଜିଲ୍ଲାରେ ସିଲ୍ଚର-ଗୁଆହାଟୀ ଯାତ୍ରୀବାହୀ ଟ୍ରେନ୍ ବନ୍ୟାପାଣିରେ ଅଟକି ଯାଇଥିଲା । ଟ୍ରେନ୍ଟି ନା ଆଗକୁ ନା ପଛକୁ ଯିବା ଫଳରେ ଯାତ୍ରୀମାନେ ଫସିରହିଥିଲେ ।
ଶେଷରେ ଭାରତୀୟ ବାୟୁସେନାର ହେଲିକପ୍ଟର ଯୋଗେ ୧୧୯ ଜଣ ଟ୍ରେନ୍ଯାତ୍ରୀଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଥିବା ଜଣାପଡିଛି । ଅନେକ ସ୍ଥାନରେ ମାଟିଅତଡା ଖସିବା ଫଳରେ ରେଳଧାରଣା ଓ ସଡକପଥ ଅବରୋଧ ହୋଇପଡିଛି । ନାଗାଓଁ, କର୍ବି ଆଙ୍ଗଲଙ୍ଗ୍, ହାଜୋଇ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ରହିଛି ।