ଆସାମରେ ଜଳ ପ୍ରଳୟ: ୨୪ ଘଣ୍ଟାରେ ୧୧ ଲୋକଙ୍କ ମୃତ୍ୟୁ

0

ଗୌହାଟୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସାମରେ ଜଳ ପ୍ରଳୟ। ବନ୍ୟା ସ୍ଥିତି ଆହୁରି ଭୟଙ୍କର ରୂପ ନେଇଛି। ଚାରିଆଡେ ଜଳ ପ୍ରଳୟ ଦେଖିବାକୁ ମିଳୁଛି। ମଣିଷଙ୍କ ତୁଳନାରେ ଜୀବଜନ୍ତୁ ଅଧିକ କଷ୍ଟ ପାଉଛନ୍ତି। କାଜିରଙ୍ଗା ଜାତୀୟ ପାର୍କରେ ହାତୀ ଓ ହରିଣ ସମେତ ଅନ୍ୟ ପ୍ରାଣୀମାନେ ମଧ୍ୟ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି । ଜାତୀୟ ଉଦ୍ୟାରେ ୮ଟି ପ୍ରାଣୀଙ୍କ ମୃତ୍ୟୁ ହୋଇଛି । ତେଣୁ ଏହି ଅଞ୍ଚଳରେ ଯାନବାହନର ଗତିକୁ ଘଣ୍ଟା ପିଛା ୪୦କିମି କରିଦିଆଯାଇଛି।

ରାଜ୍ୟରେ ବନ୍ୟା ଯୋଗୁଁ ୩୩ ଜିଲ୍ଲାର ୪୨.୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ନଦୀଗୁଡ଼ିକ ଫୁଲି ଉଠୁଥିବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଛି । ୧୦୭୩୭୦.୪୩ ହେକ୍ଟର ଫସଲ ଜଳମଗ୍ନ ହୋଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ମୃତ୍ୟୁ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । କିନ୍ତୁ ଚଳିତ ବର୍ଷ ବନ୍ୟାଜନିତ ମୃତ୍ୟୁ ୮୨ ହୋଇଛି ।

ବର୍ତ୍ତମାନ ୫୧୩୭ଟି ଗାଁ ବନ୍ୟା କବଳରେ ରହିଛି । ବାରପେଟା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ଜିଲ୍ଲାରେ ୧୨.୭୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଦରାଙ୍ଗରେ ପାଖାପାଖି ୪ ଲକ୍ଷ ଲୋକ ଜଳବନ୍ଦୀ ହୋଇଛନ୍ତି । ନଙ୍ଗାବରେ ୩.୬୪ ଲକ୍ଷରୁ ଅଧିକ ଲୋକ ବନ୍ୟା କବଳରେ ଅଛନ୍ତି । ବନ୍ୟା ପୀଡିତଙ୍କ କହିବା ଅନୁସାରେ ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ସ୍ଥାନୀୟ ପ୍ରଶାସନ ଏନଡିଆରଏଫ ଓ ସେନାର ଯବାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Leave a comment