ବିପଦ ସଙ୍କେତ ଉପରେ ବହୁଛି ଯମୁନା ନଦୀ, ବନ୍ୟା ଆଶଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯମୁନା ନଦୀରେ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିବାବେଳେ ଦିଲ୍ଲୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ବିପର୍ଯ୍ୟୟର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ଜରୁରିକାଳୀନ ବୈଠକ ଡକାଇଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶ ମଧ୍ୟ ଯୋଗଦେଇଥିଲେ । ସନ୍ଧ୍ୟା ୭ଟା ସୁଦ୍ଧା ଯମୁନା ନଦୀଜଳ ୨୦୫.୩୦ ମିଟରରେ ପହଞ୍ଚିଛି ଥିବାରୁ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ସବୁ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣା ପକ୍ଷରୁ ୫ ଲକ୍ଷ କ୍ୟୁସେକ୍‌ ମିଟର ଜଳ ଯମୁନା ନଦୀରେ ଛଡ଼ା ଯାଇଥିବା ବେଳେ ରବିବାର ସୁଦ୍ଧା ଏହା ଦିଲ୍ଲୀରେ ପହଞ୍ଚିବ ବୋଲି ଜଣାପଡିଛି । ଏହା ଦିଲ୍ଲୀରେ ବନ୍ୟାଭୟକୁ ଆହୁରି ବଢ଼ାଇଦେଇଛି ।
ସେପଟେ ଉତ୍ତରପ୍ରଦେଶରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁ ଗୁରୁବାରଠାରୁ ରାଜ୍ୟରେ ୫୮ ଜଣ ପ୍ରାଣ ହରାଇଛନ୍ତି । ଆହୁରି ବର୍ଷା ନେଇ ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି) ପକ୍ଷରୁ ସତର୍କ କରାଯାଇଛି । ଉତ୍ତରପ୍ରଦେଶର ସୋନଭଦ୍ରା, ମିର୍ଜାପୁର, ଚାନ୍ଦୌଲୀ, ବାରାଣସୀ, ମୌନାଥ ଭଞ୍ଜନ, ଆଜମ୍‌ଗଡ଼, ଦେଓରିଆ, ଗାଜିପୁର, ବାଲିଆ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ସତର୍କ ସୂଚନା ଜାରି କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment