ଆସୁଛି ବଡ଼ ବନ୍ୟା

0

ମହାନଦୀରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସୁଥିବା ନେଇ ସୂଚନା ଦେଇଛନ୍ତି ପ୍ରଦୀପ ଜେନା । ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକ ଫୁଲିବା ସହ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି।

ଏପଟେ ଓଡ଼ିଶା ସହ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା କାରଣରୁ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସୁଛି। ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜରୁ ୧୬ଟି ଗେଟ୍‍ ଦେଇ ପ୍ରାୟ ୪.୨୫ ଲକ୍ଷ କ୍ୟୁସେକ୍‍ ବନ୍ୟାଜଳ ନିଷ୍କାସନ ହେଉଛି। ଯାହାଫଳରେ ସୁବର୍ଣ୍ଣରେଖା ନଦୀ ସିଷ୍ଟମରେ ଏକ ବଡ଼ ଧରଣର ବନ୍ୟା ହେବା ନେଇ ସୂଚନା ଦେଇଛନ୍ତି ଏସଆରସି। ଏଥିପାଇଁ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଆଲର୍ଟରେ ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ବାଲେଶ୍ୱରକୁ ୫୮ଟି ଅତିରିକ୍ତ ରେସ୍‌କ୍ୟୁ ଟିମ୍ ପଠାଯାଇଛି। ବନ୍ୟା ହେବାକୁ ଥିବାରୁ ଜୀବନହାନି କେମିତି ନ ହେବ ସେଥିପ୍ରତି ପ୍ରଶାସନ ପ୍ରାଥମିକତା ଦେଇଛନ୍ତି ବୋଲି କହିଛନ୍ତି ଏସଆରସି ।

ବାଲେଶ୍ୱର ଜିଲ୍ଲାରେ ଅପରାହ୍ନ ପରଠୁ ବନ୍ୟା ଭୟବହତା ଜଣାପଡିବ । ଆଜି ଏବଂ ଆସନ୍ତା କାଲି ସଂଧ୍ୟା ପର୍ଯ୍ୟନ୍ତ ବନ୍ୟାର ହାଇ ପିକ୍ ରହିବ । ଅନ୍ୟପଟେ ଶିମିଳିପାଳ ଅଞ୍ଚଳରେ ମଧ୍ୟ ଗତକାଲି ଅଧିକ ବର୍ଷା ହୋଇଥିବା ସୂଚନା ରହିଛି । ଯାହାଫଳରେ ବୁଢାବଳଙ୍ଗରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ବୁଢାବଳଙ୍ଗର ଜଳସ୍ତର ବିପଦ ସଂକେତ ଟପିନାହିଁ ।

ଅନ୍ୟପଟେ ବୈତରଣୀ ନଦୀକୁ ନେଇ ବଡ଼ ସମସ୍ୟା ନାହିଁ ବୋଲି କହିଛନ୍ତି ଏସ୍‌ଆର୍‌ସି ଶ୍ରୀ ଜେନା। ଅନ୍ୟପକ୍ଷରେ ବଂଶଧାରା ନଦୀର ଜଳସ୍ତର କମିବା ଆରମ୍ଭ କରିଛି। ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ହେବା ନିଶ୍ଚିତ ହୋଇଥିବା ବେଳେ ମହାନଦୀ ସିଷ୍ଟମରେ ଆଉ ବନ୍ୟା ସ୍ଥିତି ଅଧିକ ହେବନି ବୋଲି କହିଛନ୍ତି ଏସ୍‌ଆର୍‌ସି।

Leave a comment