ହାଇଦ୍ରାବାଦରେ ସପ୍ତାହକରେ ୫ ଦୁଷ୍କର୍ମ: ଜାତୀୟ ମହିଳା ଆୟୋଗର ହସ୍ତକ୍ଷେପ

0

ହାଇଦ୍ରାବାଦ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗତ କିଛି ସପ୍ତାହ ମଧ୍ୟରେ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ନାବାଳିକା ଓ ମହିଳାଙ୍କ ବିରୋଧରେ ଦେଖିବାକୁ ମିଳିଥିବା ଏକାଧିକ ଜଘନ୍ୟକାଣ୍ଡ ନେଇ ଉଦବେଗ ପ୍ରକାଶ କରିଛି ଜାତୀୟ ମହିଳା ଆୟୋଗ। ଏହି ଘଟଣାରେ ତେଲେଙ୍ଗାନା ପୁଲିସ ତ୍ବରିତ ହସ୍ତକ୍ଷେପ କରିବା ସହ ମହିଳାଙ୍କ ସୁରକ୍ଷା ଓ ଏପରି ହିଂସାକୁ ଏଡାଇବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି, ଏନେଇ ଏକ ସପ୍ତାହ ମଧ୍ୟରେ ଆୟୋଗଙ୍କ ନିକଟରେ ସବିଶେଷ ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ଅଧ୍ୟକ୍ଷା ରେଖା ଶର୍ମା।

ଏକ ବିବୃତ୍ତିରେ ମହିଳା ଆୟୁକ୍ତ କହିଛନ୍ତି, ମାତ୍ର ଗତ ସପ୍ତାହକ ମଧ୍ୟରେ ହାଇଦ୍ରାବାଦ ଜିଲ୍ଲାରେ ନାବାଳିକାଙ୍କୁ ଦୁଷ୍କର୍ମର ୫ଟି ମାମଲା ସାମ୍ନାକୁ ଆସିଛି। ମୁଖ୍ୟତଃ ହାଇଦ୍ରାବାଦ ପରି ଜିଲ୍ଲାରେ ଏପରି ଜଘନ୍ୟ କାଣ୍ଡର ହାର ବୃଦ୍ଧି ପାଇବା ଅତ୍ୟନ୍ତ ଉଦବେଗଜନକ ସ୍ଥିତି ସୃଷ୍ଟି କଲାଣି। କେବଳ ସୁରକ୍ଷା ପ୍ରଦାନ କରିବା ପୁଲିସର କାମ ନୁହେଁ ବରଂ ଏପରି ଅପରାଧ କ୍ଷେତ୍ରରେ ପୁଲିସ ତ୍ବରିତ ତଥା ଉଦାହରଣ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।

ଏହି ଘଟଣାରେ ପୁଲିସ କ’ଣ କାମ କରୁଛି ତାହା ଆୟୋଗ ଜାଣିବାକୁ ଚାହୁଁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତକାଲି (ସୋମବାର) ଆସିଥିବା ଦୁଇଟି ଦୁଷ୍କର୍ମ ମାମଲା ମଧ୍ୟରୁ ପ୍ରଥମ ମାମଲା ହାଇଦ୍ରାବାଦ ଜିଲ୍ଲା ଅଧୀନ ରାମଗୋପାଲପେଟ ପୁଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ବେଳେ ଦ୍ୱିତୀୟଟି ରାଜେନ୍ଦ୍ରନଗର ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ଏହାପୂର୍ବରୁ ରବିବାର ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ ସମ୍ପର୍କିତ ଦୁଇଟି ନୂଆ ମାମଲା ରୁଜୁ ହୋଇଥିଲା। ଗତ ମାସରେ, ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।

Leave a comment