ଦେଶରେ ପ୍ରଥମ କରି ସାମ୍ନାକୁ ଆସିଲା କରୋନା ସଂକ୍ରମଣର ଭୟଙ୍କର ରୂପ: ମାଆ ଗର୍ଭରୁ ଶିଶୁ ହେଲା କରୋନା ସଂକ୍ରମିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ) ଡାକ୍ତରଖାନାରେ କରୋନା ସଂକ୍ରମଣ ସମ୍ୱନ୍ଧରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ଦେଶସାରା ଭୟର ବାତାବରଣ ସୃଷ୍ଟି ହୋଇଛି । ଜଣେ ଶିଶୁକୁ ମାଆର ଗର୍ଭରୁ କରୋନା ହୋଇଥିବା ଘଟଣା ଡାକ୍ତରମାନେ ଆଚମ୍ୱିତ ହୋଇଛନ୍ତି ଶିଶୁଟି ଜନ୍ମ ହେବା ପରେ ଡାକ୍ତରମାନେ କରୋନା ପରୀକ୍ଷା ରିପୋର୍ଟରୁ ଏହା ଜାଣିବାକୁ ପାଇଥିଲେ । ଏଭଳି ଘଟଣା ସମଗ୍ର ଦେଶରେ ପ୍ରଥମ ବୋଲି ସୂଚନା ମିଳିଛି । ତେବେ ଏହି ପୂରା ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିବା ନିମନ୍ତେ ଆରଏମଏଲ୍ର ନବଜାତ ରୋଗ ବିଭାଗର ସହକାରୀ ପ୍ରଫେସର ଡକ୍ଟର ରାହୁଲ ଚୌଧୁରୀ କହିଛନ୍ତି ଯେ, ଯେଉଁ ସମୟରେ ଶିଶୁର ପ୍ରସବ ହୋଇଥିଲା ସେହି ସମୟରେ ମାଆ କରୋନାରୁ ସୁସ୍ଥ ହୋଇସାରିଥିଲେ । ହେଲେ ଯେତେବେଳେ ଶିଶୁଟି ପ୍ରସବ ହୋଇଥିଲା ଏବଂ ୬ଘଣ୍ଟା ପରେ ଏହାର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା, ସେତେବେଳେ କରୋନା ରିପୋର୍ଟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବରେ ପଜିଟିଭ୍ ଆସିଥିଲା । କରୋନା ନେଗେଟିଭ୍ ଥିବା ମାଆଙ୍କ ଗର୍ଭରୁ କରୋନା ପଜିଟିଭ୍ ଶିଶୁ ଜନ୍ମ ହେବା ଦେଶରେ ପ୍ରଥମ ଘଟଣା ଅଟେ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀର ନାଙ୍ଗଲୋଇ ନିବାସୀ ୨୫ ବର୍ଷୟା ରୁଚି ଗର୍ଭବତୀ ଥିଲେ । ଗତ ମାସରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ଜୁନ୍ ୧୧ରେ କରୋନା ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ପରେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ଅନୁସାରେ ଜୁନ୍ ୨୫ତାରିଖରେ ରୁଚିଙ୍କର ଦ୍ୱିତୀୟ ଥର ପାଇଁ କରୋନା ପରୀକ୍ଷା କରାଯାଇଥିଲା, ଏଥିରେ ମଧ୍ୟ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ ଜୁଲାଇ ୭ତାରିଖରେ, ଯେତେବେଳେ ଡାକ୍ତରମାନେ ତୃତୀୟ ଥର ପାଇଁ RTPCR ପରୀକ୍ଷା କରିଥିଲେ, ସେତେବେଳେ ରୁଚିଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାର ପ୍ରତ୍ୟକ୍ଷ ଅର୍ଥ ହେଉଛି ରୁଚି କରୋନା ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ଲାଭ କରିସାରିଥିଲେ । ଏହିକ୍ରମରେ ରିପୋର୍ଟ ନେଗେଟିଭ୍ ଆସିବା ପରଦିନ ତାଙ୍କର ପ୍ରସବ କରାଯାଇଥିଲା ଏବଂ ପିଲାଟିର ନମୂନାକୁ ମାତ୍ର ୬ଘଣ୍ଟା ପରେ ପରୀକ୍ଷା କରାଯାଇଥିଲା, ଯାହା ପଜିଟିଭ୍ ବୋଲି ଜଣାପଡ଼ିଥିଲା । ବର୍ତ୍ତମାନ କରୋନା ସଂକ୍ରମିତ ଶିଶୁଟିକୁ ଡାକ୍ତରଖାନାର ବରିଷ୍ଠ ଡାକ୍ତରମାନେ ସ୍ୱତନ୍ତ୍ର ନିରୀକ୍ଷଣରେ ରଖିଥିବା ସୂଚନା ମିଳିଛି ।