ପିଲାଙ୍କ ଉପରକୁ ଗୁଳି ଚଳାଇ ଛେଚା ଖାଇଲେ ମନ୍ତ୍ରୀଙ୍କ ପୁଅ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାରର ପର୍ଯ୍ୟଟନ ମନ୍ତ୍ରୀ ନାରାୟଣ ପ୍ରସାଦଙ୍କ ପୁଅ ତାଙ୍କ କ୍ଷେତରେ କ୍ରିକେଟ ଖେଳୁଥିବା ପିଲାମାନଙ୍କୁ ଘଉଡାଇବା ପାଇଁ ଫାଙ୍କା ଗୁଳିଚାଳନା କରିବା ଘଟଣା ଏବେ ଚର୍ଚ୍ଚାରେ । ଅପରପକ୍ଷରେ ସ୍ଥାନୀୟ ଜନସାଧାରଣ ତାଙ୍କ ଜମିକୁ ଜବର ଦଖଲ କରୁଥିବା ଶ୍ରୀ ପ୍ରସାଦ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ରବିବାର ବିହାରର ପଶ୍ଚିମ ଚମ୍ପାରନ ଜିଲାର ହରଦିଆ ଗ୍ରାମରେ ଏହି ଘଟଣା ଘଟିଛି । ମନ୍ତ୍ରୀଙ୍କ କ୍ଷେତରେ ଖେଳୁଥିବା ପିଲାଙ୍କୁ ସେଠାରୁ ଚାଲିଯିବାକୁ ମନ୍ତ୍ରୀଙ୍କ ପୁଅ ବବଲୁ ପ୍ରସାଦ କହିଥିଲେ । ଏପରିକି ସେ କିଛି ସ୍ଥାନୀୟ ଲୋକଙ୍କୁ ମାଡ ମାରିଥିବା ମଧ୍ୟ କୁହାଯାଉଛି । ତାହାପରେ ସେ ନିଜର ପିସ୍ତଲ କାଢି ଫାଙ୍କା ଗୁଳିଚାଳନା କରିଥିଲେ। ଏଥିରେ କେତେକ ସ୍ଥାନୀୟ ଲୋକ ଆହତ ହୋଇଥିବା କୁହାଯାଉଛି । ଗ୍ରାମବାସୀ ଏହି ଘଟଣା ଜାଣିବା ପରେ ସେମାନେ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତାଙ୍କ ଗାଡି ଭଙ୍ଗାରୁଜା କରିବା ସହିତ ପୁଅ ବବଲୁଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।
ପୁଲିସ ସେଠାରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଯେ, ସ୍ଥାନୀୟ ଗ୍ରାମବାସୀ ତାଙ୍କ ଜମି ଜବରଦଖଲ କରୁଥିବାବେଳେ ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କ ସାନଭାଇଙ୍କୁ ମାଡ ମାରିଥିଲେ । ଏହା ପରେ ତାଙ୍କ ପରିବାରର ଅନ୍ୟ କେତେକ ସଦସ୍ୟଙ୍କୁ ମଧ୍ୟ ଗ୍ରାମବାସୀ ମାଡ ମାରିଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି । ଏହା ଜାଣିବା ପରେ ତାଙ୍କ ପୁଅ ବବଲୁ ନିଜର ପଞ୍ଜିକୃତ ପିସ୍ତଲ ସହିତ ସେଠାରେ ପହଞ୍ଚିଥିଲା । ତା’ ଉପରକୁ ମଧ୍ୟ ଗ୍ରାମବାସୀ ଢେଲାପଥର ମାଡ କରିଥିଲେ। ଏପରିକି ସେମାନେ ତାଙ୍କ ଗାଡି ଭଙ୍ଗାରୁଜା କରିଛନ୍ତି । ଏହି ଘଟଣାକୁ ନେଇ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମାଲୋଚନା କରିଛି।