ଭୁବନେଶ୍ୱର ରେ ବସ ମାଲିକଙ୍କ ଉପରକୁ ଗୁଳିମାଡ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ରାସ୍ତା ଉପରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ କରି ଦୁବୃର୍ତ୍ତ ଚମ୍ପଟ୍ ମାରିଛନ୍ତି । ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ପ୍ରୀତମ୍ ଜେନାମଣି ଓ ସେ ‘ସମ୍ପର୍କ’ ବସ ମାଲିକ ବୋଲି ଜଣାପଡ଼ିଛି। ତାଙ୍କ ଡାହାଣ କାନ୍ଧରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ଏକ ବୋଲେରୋରେ ଆସି ବରମୁଣ୍ଡା ବସଷ୍ଟାଣ୍ଡ ରାସ୍ତା ଉପରେ ପ୍ରୀତମ୍ଙ୍କ ଗାଡିକୁ ସାଇଟ୍ ମାରିଥିଲେ । ପ୍ରୀତମ୍ ସେମାନଙ୍କ ପିଛାକରି ବରମୁଣ୍ଡା ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଯାଇଥିଲେ । ଏହାଦେଖି ଦୁବୃର୍ତ୍ତମାନେ ପୁଣିଥରେ ପ୍ରୀତମ୍ଙ୍କ ଗାଡିକୁ ସାଇଟ୍ ମାରିବା ସହ ଗୁଳି ଚଳାଇଥିଲେ । ଏହି ଗୁଳି ତାଙ୍କ ଡାହାଣ କାନ୍ଧରେ ବାଜିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା । ପ୍ରୀତମ୍ଙ୍କ କହିବା ଅନୁଯାୟୀ ବୋଲେରୋରେ ୪ ଜଣ ବ୍ୟକ୍ତି ଥିଲେ । ତେବେ ଗୁଳି କାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ଖଣ୍ଡଗିରି ଟ୍ୟୁରିଷ୍ଟ ବସ୍ଷ୍ଟାଣ୍ଡ ଟେଣ୍ଡରକୁ ନେଇ ଗୁଳିମାଡ଼ ହୋଇଥିବା ସନ୍ଦେହ କରୁଛି ପୋଲିସ । କାରଣ ପ୍ରୀତମ ଟ୍ୟୁରିଷ୍ଟ ବସ୍ଷ୍ଟାଣ୍ଡ ଟେଣ୍ଡର୍ର ଲିଜ୍ ନେଇଛନ୍ତି।