ରାଜଧାନୀରେ ଫୁଟିଲା ଗୁଳି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଲିସକୁ ଖାତିର କରୁନାହାନ୍ତି ଅପରାଧୀ । ରାଜଧାନୀ ଭୁବନେଶ୍ବର ଅପରାଧୀଙ୍କ ପାଇଁ ପାଲଟି ଗଲାଣି ଭୂସ୍ବର୍ଗ । ଭୁବନେଶ୍ୱର ଉପକଣ୍ଠରେ ଘଟିଥିବା ବିଭତ୍ସ ହତ୍ୟା କାଣ୍ଡର କିଛିଦିନ ନ ବିତୁଣୁ ଆଜି ଖଣ୍ଡଗିରି ଥାନା ଜାଗମରା ଅଂଚଳରେ ଗୁଳି ଫୁଟିଛି । ଗାଡି ପାର୍କିଂକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦକୁ ନେଇ ଏଭଳି ଗୁଳି ମାଡ ହୋଇଥିବା ଜଣାପଡିଛି । ଗୁଳିମାଡରେ କେହି ମୃତାହତ ହୋଇନଥିବା ବେଳେ ଦୁଇ ପରିବାର ଲୋକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ ।
ସୂଚନା ଅନୁସାରେ, ଜାଗମରାରେ ରହୁଥିବା ବ୍ୟବସାୟୀ ପରିବାର ମଧ୍ୟରେ ଗାଡି ପାର୍କିଂକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଗୋଟିଏ ଗୋଷ୍ଠୀ ଅନ୍ୟପକ୍ଷକୁ ଆକ୍ରମଣ କରିବାକୁ ଯିବାରୁ ସେମାନେ ପାଖରେ ଥିବା ବନ୍ଧୁକରୁ ଗୁଳିମାଡ କରିଥିଲେ । ୩
ରାଉଣ୍ଡ ବ୍ଲାଙ୍କ ଫାଇରିଂ କରାଯାଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଖୋକା ଜବତ କରିବା ସହ ତଦନ୍ତ କରୁଛି । ତେବେ ପ୍ରାଥମିକ ତଦନ୍ତରୁ ଗୁଳି ମାଡ ହୋଇଥିବା ବନ୍ଧୁକଟି ଲାଇସେନ୍ସ ପ୍ରାପ୍ତ ବୋଲି ଜଣାପଡିଛି । ହେଲେ କେଉଁ ପରିସ୍ଥିତିରେ ଗୁଳିମାଡ କରାଗଲା, ସେ ନେଇ ପୋଲିସ ଛାନଭିନ କରୁଛି ।