ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ, ଓଡ଼ିଆ ଜବାନ ଶହୀଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଶାନ୍ତ ହୋଇପଡିଛି ଜମ୍ମୁ କାଶ୍ମୀର । ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାର ବଘାମା ଅଞ୍ଚଳରେ ଦ୍ୱିତୀୟ ଥର ପାଇଁ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଛି । ଏଥିରେ ୨ ଜୈଶ୍-ଇ-ମହମ୍ମଦ୍ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏଠାରେ କେତେଜଣ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଙ୍ଗଳବାର ସକାଳେ ଘେରାବନ୍ଦୀ ଆରମ୍ଭ ହୋଇଥିଲା । ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲେ ମଧ୍ୟ ସେମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଜବାବ୍ରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା । ଏଥିରେ ଓଡ଼ିଶାର ଜଣେ ଯବାନ ଶହୀଦ୍ ହୋଇଛନ୍ତି । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡ଼ସୁଆଳ ଗାଁରେ ବୋଲି ଜଣାପଡିଛି । ଏ ନେଇ ଆର୍ମୀ କ୍ୟାମ୍ପରୁ ତାଙ୍କ ଘରକୁ ଫୋନ ଯୋଗେ ଖବର କରାଯାଇଥିବା ଜଣାପଡ଼ିଛି । ୨୦୧୫ ରେ ସେନାରେ ଯୋଗ ଦେଇଥିଲେ ଯବାନ ଅଜିତ ସାହୁ ।
ସୂଚନାଯୋଗ୍ୟ, ଗତକାଲି ଅନନ୍ତନାଗରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏଥିସହ ୨ ଜଣ ଯବାନ ଏବଂ ଜଣେ ସେନା ଅଧିକାରୀ ଆହତ ହୋଇଥିଲେ ।