ଭୁବନେଶ୍ୱର ମାର୍କେଟ ବିଲଡିଂ ବିଏମସି କେଶରୀ ମଲରେ ଭୟାବହ ଅଗ୍ନିକାଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ମାର୍କେଟ ବିଲଡିଂ ନିକଟସ୍ଥ ବିଏମସିର କେଶରୀ ମଲରେ ଆଜି ବିଳମ୍ବିତ ରାତ୍ରି ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କାର ଜିନିଷ ଜଳି ନଷ୍ଟ ହୋଇଯାଇଛି । ସୌଭାଗ୍ୟ ବଶତଃ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

ଅଗ୍ନିଶମ କର୍ମଚାରୀ ତୁରନ୍ତ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଜାରୀରଖିଥିଲେ । ପ୍ରାଥମିକ ତଦନ୍ତରୁ ସଟସର୍କିଟରୁ ଏପରି ଘଟିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, ସବୁଦିନ ପରି ଶୁକ୍ରବାର ରାତି ପ୍ରାୟ ସାଢେ ୯ଟା ବେଳେ କେଶରୀ ମଲରେ ଥିବା ଅଜୟ ଡ୍ରେସ ଷ୍ଟୋର ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଏହାର ପ୍ରାୟ ଏକ ଘଂଟା ପରେ ଦୋକାନ ଭିତରୁ ଧୂଆଁ ବାହାରିଥିଲା । ସେତେବେଳକୁ ମଲର ପ୍ରାୟ ସବୁ ଦୋକାନ ବନ୍ଦ ହୋଇସାରିଥିଲା । ଦୋକାନରୁ ଧୂଆ ବାହାରୁଥିବା ଦେଖି ସୁରକ୍ଷାକର୍ମୀ ମାଲିକଙ୍କୁ ଜଣାଇଥିଲେ ।

ମାଲିକ ଆସିବା ବେଳକୁ ଦୋକାନ ହୁତୁହୁତୁ ହୋଇ ଜଳି ଉଠିଥିଲା । ପରେ ଚାହୁଁ ଚାହୁଁ ନିଆଁ ମଲର ପ୍ରାୟ ୪୦ ଭାଗକୁ ଗ୍ରାସ କରିସାରିଥିଲା । ମଲରେ ଅଧିକାଂଶ ଡ୍ରେସ ଦୋକାନ ଥିବାରୁ ନିଆଁ ପ୍ରଖର ବେଗରେ ବ୍ୟାପୀ ଯାଇଥିଲା । ଖବରପାଇ ଦମକଳ ବାହିନୀର ୩ରୁ ଅଧିକ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ନିଆଁ ଲାଗିବା ଖବର ପ୍ରଚାରିତ ହେବା ପରେ ଶହଶହ ଲୋକ ସେଠାରେ ରୁଣ୍ଡ ହୋଇଥିଲେ । ଫଳରେ ନିଆଁ ଲିଭାଇବାରେ ସମସ୍ୟା ସୃଷ୍ଟି ହୋଇଥିଲା । ପୋଲିସ ପହଁଚି ଲୋକଙ୍କୁ ଘଉଡାଇବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

Leave a comment