ମହଙ୍ଗା ପଡିଲା ବିବାଦୀୟ ବୟାନ, ନିଜ ଆଡୁ ମାମଲା ରୁଜୁ କଲା ପୁଲିସ

0

ଓଡିଶା ଫାଷ୍ଟ( ବ୍ୟୁରୋ ): ଗତକାଲି ନବରଙ୍ଗପୁର ବନ୍ଦବେଳେ ବିବାଦୀୟ ବୟାନ ଦେଇ ସମାଲୋଚିତ ହୋଇଥିବା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ଏତଲା ରୁଜୁ କଲା ନବରଙ୍ଗପୁର ପୁଲିସ । ହିଂସାକୁ ଉସକେଇବା ଅଭିଯୋଗରେ ନବରଙ୍ଗପୁର ଟାଉନ ଥାନାରେ ନିଜ ଆଡୁ ମାମଲା ରୁଜୁ କଲା ପୁଲିସ । କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ସମେତ ଅନ୍ୟ 15 ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କଲା ପୁଲିସ । ଗତକାଲି ବନ୍ଦ ସମୟରେ ପେଟ୍ରୋଲ, ଡିଜେଲ ରେଡ଼ି ରଖ, ଡାଇରେକସନ ଯିବ ମାନେ ଯାହା ପାଇବ ଜାଳି ଦେବ, ତେଣିକି ଯାହା ହବ ଦେଖାଯିବ ଏମିତି କହି କର୍ମୀଙ୍କୁ ଉସକାଇଥିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ । ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ନବରଙ୍ଗପୁର ବନ୍ଦ ଡାକରା ଦିଆଯାଇଥିବା ବେଳେ ବନ୍ଦ ସମୟରେ କର୍ମୀଙ୍କୁ ଫୋନ ଯୋଗେ ଏଭଳି ଉସୁକାଇବା ଭିଡିଓ ଗତକାଲି ସାମ୍ନାକୁ ଆସିଥିଲା ଯେଉଁଥିରେ କି କଂଗ୍ରେସ ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କର୍ମୀଙ୍କୁ ହିଂସା କରିବା ପାଇଁ ଏଭଳି ଖୋଲାଖୋଲି ନିର୍ଦ୍ଧେଶ ଦେଉଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ 14 ତାରିଖରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଂଚଳ ଗୁମଣ୍ଡଳୀ ଗାଁରେ ଏକ ବିଲ ମଧ୍ୟରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । 13ତାରିଖ ବିଳମ୍ବିତ ରାତିରେ 16 ବର୍ଷର ଜଣେ ନବାଳିକା ପରିଶ୍ରା କରିବାକୁ ଘର ବାହାରକୁ ଯାଇଥିଲେ । କିନ୍ତୁ ଆଉ ଫେରି ନଥିଲେ । ତା ପରଦିନ ସକାଳୁ ବିଲ ମଝିରେ ତାଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ନାବାଳିକାଙ୍କ ମୃତଦେହ ପଡ଼ିଥିବା ସ୍ଥାନରେ 2 ଟି ଯୁବକଙ୍କ ପ୍ୟାଣ୍ଟ ପଡ଼ିଥିଲା । ତେବେ ତାଙ୍କୁ କେହି ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।

Leave a comment