ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ଯୌନ ନିର୍ଯାତନା ମାମଲା: ଦୁଇ ହାଇସ୍କୁଲ ଶିକ୍ଷକ ନିଲମ୍ବିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲାଙ୍ଗିର ଜିଲ୍ଲାର ତୁଷୁରା ଏନଏସି ଠାରେ ଥିବା ରୟାଲ ପବ୍ଲିକ ସ୍କୁଲରେ ଜଣେ ଛାତ୍ରଙ୍କୁ ଆଉ ଜଣେ ଛାତ୍ର ଦ୍ୱାରା ଯୌନ ନିର୍ଯାତନା ଦେବାର ଘଟଣା ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ଗଣମାଧ୍ୟମ ଲଗାତାର ଭାବରେ ଖବର ପ୍ରକାଶ କରିବା ପରେ ଶିକ୍ଷା ବିଭାଗରେ ତତ୍ପରତା ପ୍ରକାଶ ପାଇଛି। ଏନେଇ ଆଗରୁ ଦୁଇ ଜଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଲମ୍ବିତ ହୋଇଥିବା ବେଳେ ଏବେ ଜିଲ୍ଲା ଶିକ୍ଷା ଅଧିକାରୀ ଆଉ ଦୁଇ ଜଣ ଟ୍ରଷ୍ଟି ସାଜିଥିବା ସରକାରୀ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ଦେଓଗାଁ ବ୍ଲକ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ ପ୍ରଧାନ ଓ ବଳଦେବ ସାହୁ। ଆହୁରି ଦୁଇ ଜଣ ଟ୍ରଷ୍ଟି ଶିକ୍ଷକଙ୍କୁ ନେଇ ତଦନ୍ତ ଚାଲିଥିବା ବିଇଓ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣାରେ ସମ୍ପୃକ୍ତ ଥିବା ନାବାଳକକୁ ପୁଲିସ ନିଜ ହେପାଜତକୁ ଆଣିବା ପରେ ରାଉରକେଲା ସ୍ଥିତ ଜୁବେନାଇଲ ପ୍ରୋବେସନାରୀ ହାଉସକୁ ପଠାଇ ଦିଆଯାଇଛି। ଏନେଇ ପରିବାର ଲୋକେ ତୁଷୁରା ଥାନାରେ ସେପ୍ଟେମ୍ବର ୩ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ୫ ଜଣଙ୍କ ନାମରେ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏଥିରେ କେବଳ ଜଣେ ନାବାଳକକୁ ପୁଲିସ ରାଉରକେଲାକୁ ପଠାଇ ଦେଇ ନିଜ କାମ ସାରି ଦେଇଛି।
ଶିକ୍ଷକମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ବି ପୁଲିସ ଗିରଫ ନକରି ପାତର ଅନ୍ତର ନୀତିରେ ତଦନ୍ତ ଚଳାଇଛି ବୋଲି ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହି ଶିକ୍ଷକମାନେ ତୁଷୁରା ସହରରେ ଖୁଲମ ଖୁଲା ବୁଲୁଥିଲେ ବି ପୁଲିସ ଗିରଫ ନକରି ଫେରାର ଦର୍ଶାଉଥିବାରୁ ପୁଲିସର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ବିଷୟରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Leave a comment