ଦୁଇଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ୧୫ ମୃତ, ୧୦୦ରୁ ଊର୍ଦ୍ଧ୍ବ ଆହତ

0

ବାଂଲାଦେଶରେ ଘଟିଛି ଭୟଙ୍କର ରେଳ ଦୁର୍ଘଟଣା । ଦୁଇଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବହୁ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ପୁଲିସ କହିଛି। ରାଜଧାନୀ ଢାକା ଠାରୁ ପ୍ରାୟ ୮୦ କିଲୋମିଟର ଦୂର ଭୈରବରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରାକରେ ବିପରୀତ ଦିଗରୁ ଆସୁଥିବା ଏକ ପାସେଞ୍ଜର ଓ ଏକ ମାଲ୍ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଲାଇନଚ୍ୟୁତ ସହ ଛିନଛତ୍ର ହୋଇ ଯାଇଥିବା ବଗି ମଧ୍ୟରେ ଅନେକ ଲୋକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚାଲିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ଭୈରବ ରେଳ ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ମହମ୍ମଦ ଆଲିମ ହୁସେନ୍ ଶିକଦାର କହିଛନ୍ତି ଯେ ଢାକା ଯାଉଥିବା ପାସେଞ୍ଜର ଟ୍ରେନ୍ ‘ଇଗାରୋସିନ୍ଦୁର ଏକ୍ସପ୍ରେସ ଗୋଧୂଳି’ ଏବଂ କିଶୋରଗଞ୍ଜ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟିଛି।

ମାଲ ଗାଡ଼ି ସାମ୍ନା ପଟୁ ଆସୁଥିବା ଯାତ୍ରୀବାହୀ ଟ୍ରେନକୁ ଧକ୍କା ଦେଇଛି। ଏଥିଯୋଗୁ ଯାତ୍ରୀବାହୀ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଯାଇଛି। ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏବେ ଲାଇନଚ୍ୟୁତ ବଗି ମଧ୍ୟରେ ଫସି ରହିଥିବା ଲୋକଙ୍କୁ ସେମାନେ ଉଦ୍ଧାର କରିବାରେ ଲାଗିଛନ୍ତି। ବଗି ତଳେ ଅନେକ ଲୋକ ପଡ଼ି ରହିଥିବା ଉଦ୍ଧାରକାରୀ ଦଳ ଦେଖିବାକୁ ପାଇଛନ୍ତି। ଲାଇନଚ୍ୟୁତ ବିଗ ଗୁଡ଼ିକୁ କଟା ଯାଇ ଲୋକଙ୍କୁ ବାହାରକୁ ଆଣିବା ପାଇଁ ପ୍ରୟାସ କରାଯାଉଥିବା ଜଣାପଡିଛି।

Leave a comment