ପୁଅକୁ ମାରି ବାପା କଲା ଆତ୍ମହତ୍ୟା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧନ, ସମ୍ପତ୍ତି କୌଣସି ଜିନିଷ ଚିରସ୍ଥାୟୀ ନୁହେଁ। ମଣିଷ ଜନ୍ମ ସମୟରେ ଖାଲି ହାତରେ ଆସିଥାଏ ଏବଂ ମୃତ୍ୟୁ ପରେ ସବୁ ଏହି ମର୍ତ୍ତ୍ୟ ଲୋକରେ ଛାଡ଼ି ଯାଇଥାଏ। ଏହା ସମସ୍ତେ ଜାଣନ୍ତି ମାତ୍ର କିଛି ଜମିବାଡ଼ି ପାଇଁ ଏଠି ଭାଇ , ଭାଇ ମଧ୍ୟରେ ତ ଆଉ କେତେବେଳେ ବାପ ପୁଅ ମଧ୍ୟରେ ଦେଖାଦିଏ ଗଣ୍ଡଗୋଳ। ଯେତେବେଳେ ଏହି ଗଣ୍ଡଗୋଳ ଚରମ ସୀମାରେ ପହଁଚି ଯାଏ ସେତେବେଳେ ପରିବାର ଉଜୁଡି ଯାଇଥାଏ। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ର ଅତାବିରା ଥାନା ଅନ୍ତର୍ଗତ ପାହାଡ଼ ସିରିଗିଡ଼ା ଗାଁରେ। ଜମିବାଡ଼ି ବିବାଦ କୁ ନେଇ ପୁଅ କୁ ହାଣି ହତ୍ୟା କଲାପରେ ବାପା ଅନୁତପ୍ତ ହୋଇ କରିଛନ୍ତି ଆତ୍ମହତ୍ୟା।
ସୂଚନା କ୍ରମେ, ବହୁ ଦିନରୁ ପୁଅ ସୁବାରାଓ ଓ ବାପା ପିକେ ବରିହା ମଧ୍ୟରେ ଜମିକୁ ନେଇ ବିବାଦ ଲାଗି ରହିଥିଲା। ଗତକାଲି ରାତିରେ ପୁଅ ସୁବାରାଓ ଘର ଅଗଣାରେ ଶୋଇଥିଲା। ଏହି ସମୟରେ ବାପା ପିକେ ବରିହା ପହଞ୍ଚିବା ପରେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଗଣ୍ଡଗୋଳ ହୋଇଥିଲା। ଏଥିରେ ବାପା ନିଜର ହିତାହିତ ଜ୍ଞାନ ହରାଇ ଏକ ଟାଙ୍ଗିଆରେ ପୁଅ ସୁବାରାଓକୁ ଆକ୍ରମଣ କରିଥିଲା। ଯାହାଦ୍ୱାରା ଘଟଣାସ୍ଥଳରେ ହିଁ ପୁଅ ସୁବାରାଓର ମୃତ୍ୟୁ ଘଟିଥିଲା। ପୁଅ ର ମୃତ୍ୟୁ ପାଇଁ ନିଜକୁ ଦୋଷୀ ଭାବି ସେ ମାନସିକ ଭାରସାମ୍ୟ ହରାଇ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥଲେ। ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।