ଆସନ୍ତା ୩ରେ ପୁରୀ ଉପକୂଳ ଛୁଇଁପାରେ ‘ଫୋନି’, ୧୮୦ କିମି ରୁ ଉର୍ଦ୍ଧ ହୋଇପାରେ ପବନର ବେଗ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମୁଦ୍ରିକ ଝଡ ‘ଫୋନି’ ଓଡିଶା ମୁହାଁ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ‘ଫୋନି’ ମେ’ ୩ ତାରିଖ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ପୁରୀ ସଂଲଗ୍ନ ଉପକୂଳରେ ମାଡ଼ ହେବ। ପୁରୀର ସାତପଡା ଠାରୁ ଚନ୍ଦ୍ରଭାଗା ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁପାରେ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୬୫ରୁ ୧୭୫ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ କରିଛି । ‘ଫୋନି’ର ପ୍ରଭାବ ପ୍ରାୟତଃ ଗୋଟେ ଦିନ ବା ୨୪ ଘଣ୍ଟା ରହିବାର ସମ୍ଭାବନା ଅଛି ।

ସାମୁଦ୍ରିକ ଝଡ ‘ଫୋନି’ ର ପ୍ରଭାବରେ ୨ ତାରିଖରୁ ଓଡ଼ିଶା ଉପକୂଳବର୍ତ୍ତି ଜିଲ୍ଲାରେ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପୂର୍ବରୁ ଏହି ସାମୁଦ୍ରିକ ଝଡ଼ ତାମିଲନାଡ଼ୁ ମୁହାଁ ଥିବାବେଳେ ଏବେ ଏହା ଓଡ଼ିଶା ମୁହାଁ ହୋଇଛି । ଗତକାଲି ସନ୍ଧ୍ୟାରେ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ବାତ୍ୟା ସିଧାସଳଖ ଓଡ଼ିଶାରେ ମାଡ଼ ହେବ ବୋଲି ଦର୍ଶାଇଛି।

ସମୁଦ୍ରରେ ‘ଫୋନି’ ଗତ କିଛି ଘଣ୍ଟା ହେବ ୧୧ କିମି ବେଗରେ ଆଗକୁ ବଢ଼ୁଛି । ଗତକାଲି ରାତି ୮ଟା ସୁଦ୍ଧା ଏହା ଚେନ୍ନାଇଠାରୁ ୭୭୦ ଓ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମ ଠାରୁ ୯୦୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୩ ତାରିଖ ରାତିରେ ପୁରୀର ସାତପଡା ଓ ଚନ୍ଦ୍ରଭାଗା ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ । ପରବର୍ତ୍ତୀ ସମୟରେ ଏହା ସମୁଦ୍ର କୂଳବର୍ତ୍ତି ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ବାରିପଦା ଦେଇ ପଶ୍ଚିମବଙ୍ଗ ଆଡ଼କୁ ବଢ଼ିବ । କିମ୍ବା ନୟା଼ଗ଼ଡ ଦେଇ ଉପକୂଳ ଜିଲ୍ଲାକୁ ପ୍ରଭାବିତ କରିବ । ସ୍ଥଳ ଭାଗ ଛୁଇଁବା ପରେ ବାତ୍ୟାର ବେଗ ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।

Leave a comment