କାଳ ହେଲା ଫେସବୁକ ପ୍ରେମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡାବାହାଲ ଗ୍ରାମର ଜନୈକ ଯୁବତୀଙ୍କୁ ତାଙ୍କ ପ୍ରେମିକ ଛୁରୀ ଯୋଗେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ଉକ୍ତ ଗ୍ରାମର ଜନୈକ ଯୁବତୀଙ୍କର ପାଟଣାଗଡ଼ ଥାନା ବରପିଟା ଗ୍ରାମର ପ୍ରକାଶ ବେହେରାଙ୍କ ସହିତ ଗତ ଦୁଇବର୍ଷ ହେବ ଫେସବୁକ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପ୍ରକାଶ ବିବାହିତ ହୋଇଥିବାବେଳେ ୨ ସନ୍ତାନଙ୍କ ବାପା ବୋଲି ପ୍ରେମିକା ଜାଣିବାକୁ ପାଇଥିଲେ। ପରେ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ତେବେ କୌଣସି କାରଣରୁ ଗତ ୨୬ ତାରିଖ ରାତି ପ୍ରାୟ ୧ଟାବେଳେ ପ୍ରକାଶ ଯୁବତୀଙ୍କ ଘରକୁ ଯାଇ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ରବିବାର ଥାନାରେ ଅଭିଯୋଗ କରିବା ସହ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଫେରାର ଥିବା ଜଣାପଡ଼ିଛି।