ସଂସ୍କୃତ ଆବେଗ ଓ ଅଭିବ୍ୟକ୍ତିର ପରିପ୍ରକାଶ: ଧର୍ମେନ୍ଦ୍ର

0

ନୂଆଦିଲ୍ଲୀ,ଭୁବନେଶ୍ୱର : ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର ଏକ ଆବେଗ ଓ ଅଭିବ୍ୟକ୍ତିର ପରିପ୍ରକାଶ ବୋଲି ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘ଉତ୍କର୍ଷ ମହୋତ୍ସବ’ରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏହାଛଡ଼ା ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ସମସ୍ତ ଭାଷାଗୁଡ଼ିକ ଶ୍ରେଷ୍ଠ । ଭାରତୀୟ ଭାଷାର ବିବିଧତା ମଧ୍ୟରେ ଯେଉଁ ଏକତା ଅଛି ସେଥିରେ ସଂସ୍କୃତର ବହୁତ ବଡ଼ ଯୋଗଦାନ ରହିଛି । ସଂସ୍କୃତ ଭାଷାର ମହତ୍ୱ କ’ଣ ଏହା ଆମକୁ ବୁଝିବାକୁ ହେବ । ସଂସ୍କୃତ ଭାଷା ଆମର ବେଦ ଭାଷା ଓ ଆଦ୍ୟ ଭାଷା । ଚୀନ ପରିବ୍ରାଜକ ହୁଏନସାଂ ଭାରତ ଭ୍ରମଣରେ ଆସିଥିବା ବେଳେ ବିଭିନ୍ନ ସ୍ଥାନ ପରିଦର୍ଶନ ପରେ ସଂସ୍କୃତରେ ଲିଖିତ ଏକାଧିକ ଭାରତୀୟ ଗ୍ରନ୍ଥାବଳୀ ସାଙ୍ଗରେ ନେଇ ଚୀନ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ସମୟର ଗ୍ରନ୍ଥାବଳୀରୁ ସଂସ୍କୃତ ଭାଷାର ମହତ୍ୱ କେତେ ଥିଲା ଏ ସବୁରୁ ଜଣାପଡ଼େ । ସେହିପରି ଆଜିର ଦିନରେ ରାଇସିନିଆ ଡାଇଲୋଗକୁ ବିଚାର କଲେ ସଂସ୍କୃତର ସହଜତା ଓ ଆଧୁନିକତା ଏବଂ ବୈଜ୍ଞାନିକ ପୃଷ୍ଠଭୂମିର କୌଣସି ପ୍ରମାଣର ଆବଶ୍ୟକତା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସେ କହିଛନ୍ତି ।
ଆମର ପୁଞ୍ଜି ହେଉଛି ଜ୍ଞାନ, ଶିକ୍ଷା, ମାନବିକତା ଏବଂ ବୌଦ୍ଧିକ କ୍ଷମତା ।

ଏ ସବୁର ଉପଯୋଗ କରି ଭାରତ ଓ ବିଶ୍ୱ କଲ୍ୟାଣରେ ବ୍ରତୀ ହେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ରାଷ୍ଟ୍ରୀୟ ଶିକ୍ଷା ନୀତିର ପରିକଳ୍ପନାରେ ଆମକୁ ସଂସ୍କୃତ ସମେତ ସମସ୍ତ ଭାରତୀୟ ଭାଷାକୁ ପ୍ରଧାନ୍ୟ ଦେବାକୁ ହେବ । ଏହାବ୍ୟତୀତ ଶିକ୍ଷା ନୀତି ଅଧୀନରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ୩ ବର୍ଷରୁ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ବାଲବାଟିକା ଗୁଡ଼ିକରେ ଗୁଣାତ୍ମକ, ନିପୁଣ ଭାରତ, ବିଦ୍ୟା ପ୍ରବେଶ, ପରୀକ୍ଷାରେ ସଂସ୍କାର ଏବଂ କଳାସହ ସମନ୍ୱିତ ଶିକ୍ଷା, ଖେଳନା ଆଧାରିତ ଶିକ୍ଷା ପ୍ରଦାନ ଭଳି ଅଭିନବ ଶିକ୍ଷାଦାନ ବ୍ୟବସ୍ଥା କ୍ରିୟାନ୍ୱୟନ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Leave a comment