ରାଗିଂ ପରେ ଇଞ୍ଜିନିୟରିଂ ଛାତ୍ରୀ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁ): ସମଗ୍ର ଦେଶରେ ରାଗିଂ ରେ ଓଡ଼ିଶା ୬ଷ୍ଠ ସ୍ଥାନରେ ଥିବାରୁ ରାଜ୍ୟରେ ରାଗିଂ ବନ୍ଦ କରିବାକୁ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । ଏହି ନିୟମ ଅନୁଯାୟୀ କୌଣସି ଛାତ୍ର କିମ୍ବା ଛାତ୍ରୀ ଙ୍କୁ କୌଣସି ପ୍ରକାର ମାନସିକ, ଶାରୀରିକ, ଜୋର ଜବରଦସ୍ତ ଆଲିଙ୍ଗନ, ଖରାପ ଆଚରଣ ଏପରିକି କ୍ୟାମ୍ପସ ଭିତରେ ଆଖି ମାରିଲେ ମଧ୍ୟ ଦଣ୍ଡ ମିଳିବ । ଯଦି ଅଭିଯୋଗ ପ୍ରମାଣିତ ହୁଏ ତେବେ ବହିଷ୍କାର ମଧ୍ୟ କରାଯିବ । ଏନେଇ ଖୁବ୍ ଶିଘ୍ର ସର୍କୁଲାର୍ ଜାରି କରିବାକୁ ବିଭାଗୀୟ ସଚିବଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ନିର୍ଦ୍ଦେଶ ଦେଇଛନ୍ତି ।ଏହା ପରେ ମଧ୍ୟ କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଂ କଲେଜର ତୃତୀୟ ବର୍ଷ ଛାତ୍ରୀ ର଼୍ୟାଗିଂର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏ ନେଇ କଲେଜର ଅନ୍ୟ କେତେଜଣ ଛାତ୍ରୀ ଅଧ୍ୟକ୍ଷାଙ୍କ ନିକଟରେ ଅଭିଯୋଗ କରିଛନ୍ତି । କଲେଜ ଅଧ୍ୟକ୍ଷ ଆଣ୍ଟି ରାଗିଂ ସ୍କ୍ବାର୍ଡକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ଶୁକ୍ରବାର ସୁଦ୍ଧା ରିପୋର୍ଟ ଦେବାକୁ କହିଛନ୍ତି।
ଘଟଣା ମୁତାବକ, ବୁଧବାର ସନ୍ଧ୍ୟାରେ କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଂ କଲେଜ ତୃତୀୟ ବର୍ଷ ଛାତ୍ରୀ ନିବାସରେ ବିଜୁଳି ନଥିଲା । ତେବେ ୮ରୁ ୧୦ ଜଣ ଛାତ୍ରୀ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ପାଖକୁ ଯାଇ ଏ ନେଇ ଅଭିଯୋଗ କରିଥିଲେ । ସୁପରିଣ୍ଟେଣ୍ଡେଣ୍ଟ ଙ୍କୁ ଅଭିଯୋଗ କରି ଫେରୁଥିବା ବେଳେ ୪ର୍ଥ ବର୍ଷ ଛାତ୍ରୀମାନେ ହଷ୍ଟେଲ କ୍ୟାମ୍ପସ ପରିସରରେ ସେମାନଙ୍କୁ ଠିଆ କରାଇ ରାଗିଂ କରିଥିଲେ । ବିଜୁଳି କଟିବା ନେଇ କାହିଁକି ଅଭିଯୋଗ କରିବାକୁ ଯାଇଥିଲ ବୋଲି ପ୍ରଶ୍ନ କରିବା ସହ ସେମାନଙ୍କୁ ରାତି ୮ଟାରୁ ୧୧ ପର୍ଯ୍ୟନ୍ତ ହଷ୍ଟେଲ ବାହାରେ ଠିଆ କରାଇ ଦେଇଥିଲେ । ଫଳରେ ସେମାନେ ରାତିରେ ଖାଇପାରି ନ ଥିଲେ । ରାତ୍ରି ଭୋଜନ ନ କରିବା ହେତୁ ଗୁରୁବାର ସକାଳେ ଜଣେ ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।