କାଲି କରିଥା’ନ୍ତେ ନିର୍ବାଚନ ଡ୍ୟୁଟି, ଆଜି ଚାଲିଗଲା ଜୀବନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାତି ପାହିଲେ ଭୋଟ୍‌। ଆଜି ଚାଲିଗଲା ଜଣେ ନିର୍ବାଚନୀ ଅଧିକାରୀଙ୍କ ଜୀବନ। ନିର୍ବାଚନ ଡ୍ୟୁଟିରେ ଯୋଗ ଦେବାକୁ ଘରୁ ବାହାରି ଆଖି ବୁଜିଛନ୍ତି ପ୍ରିଜାଇଡିଙ୍ଗ ଅଫିସର ଶୁଭେନ୍ଦୁ ନାୟକ । ଏପରି ଦୁଃଖଦ ଘଟଣା ଅନୁଗୋଳରେ ଘଟିଛି। ମୃତ ଶୁଭେନ୍ଦୁ ନାୟକଙ୍କ ଘର ଅନୁଗୋଳ ଜିଲ୍ଲାର କିଶୋରନଗର ବ୍ଲକ କୁମୁରୁଶିଙ୍ଗା ଗାଁରେ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହେଇଥିଲା। ଶୁଭେନ୍ଦୁ କୁମାର ନାୟକ ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଥିଲେ।

ମଙ୍ଗଳବାର ନିର୍ବାଚନ କାର୍ଯ୍ୟରେ ପ୍ରିଜାଇଡିଙ୍ଗ ଅଫିସର ଭାବେ ଯୋଗ ଦେବାକୁ ଶୁଭେନ୍ଦୁ କୁମାର ନାୟକ ଘରୁ ବାହାରିଥିଲେ। ବଅଁରପାଳ ବ୍ଲକରେ ପୂର୍ବାହ୍ନ ୯ଟାରେ ଯୋଗ ଦେବାର ଥିଲା । ସେଥିପାଇଁ ସେ ଭୋରରୁ ଘରୁ ବାହାରୁ ଥିବା ସମୟରେ ଅଚେତ୍ ହୋଇ ପଡ଼ିଥିଲେ। ପରେ ତାଙ୍କୁ କିଶୋରନଗର ମେଡିକାଲକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଜଣାପଡ଼ିଛି।

Leave a comment