କଂଗ୍ରେସ ନିର୍ବାଚନୀ ଇସ୍ତାହାର,କ୍ଷମତାକୁ ଆସିଲେ ଋଣ ନଶୁଝି ପାରିଲେ ଚାଷୀ ଯିବେନି ଜେଲ, ବର୍ଷକୁ ୭୨ ହଜାରର ଗ୍ୟାରେଂଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ଲୋକସଭା ନିର୍ବାଚନ ଯେତେ ନିକଟତର ହେଉଛି ସମସ୍ତ ରାଜନୈତିକ ଦଳ ସେତେ ଭୋଟର ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ପ୍ରୟାସ ଚଳାଇଛନ୍ତି । ସବୁଠି ଛୁଟୁଛି ପ୍ରତିଶ୍ରୁତିର ସ୍ୱର । ସେହିପରି ମୋଦି ସରକାରଙ୍କୁ ଗାଦିଚ୍ୟୁତ କରିବା ସଂକଳ୍ପ ନେଇ କଂଗ୍ରେସ ଆଜି ତା’ର ୨୦୧୯ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛି । ଏହି ଇସ୍ତାହାର ନାଁ ‘ଜନ ଆୱାଜ’ ରଖିଛି କଂଗ୍ରେସ । ୫ଟି ଥିମ ବିଶିଷ୍ଟ ଇସ୍ତାହାରରେ ଗରିବ, ମହିଳା, ଯୁବକ ଓ ଯୁବ ଉଦ୍ୟୋଗୀଙ୍କୁ ଆକୃଷ୍ଟ କରିବା ଭଳି ପ୍ରତିଶ୍ରୁତି ରହିଛି ।

ସୂଚନା ଅନୁଯାୟୀ, ଏହି ଇସ୍ତାହାରରେ କଂଗ୍ରେସ ଶାସନକୁ ଆସିଲେ ଦେଶର ୨୦ ପ୍ରତିଶତ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦିଆଯିବ । ଇସ୍ତାହାରରେ ଯୁବକ, ଚାଷୀ ଓ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ହେଲା କୃଷକ ଓ ରୋଜଗାର । କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀ ଋଣ ସୁଝି ନପାରିଲେ ଅପରାଧିକ ମାମଲା ରୁଜୁ କରାଯିବ ନାହିଁ । ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କୃଷି ବଜେଟ୍ କରାଯିବା ଉଚିତ୍ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଯୁବ ବ୍ୟବସାୟୀ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ୩ ବର୍ଷ ଯାଏଁ ଅନୁମତି ନେବାକୁ ପଡିବ ନାହିଁ । ୨୦୨୦ ମାର୍ଚ୍ଚ ସୁଦ୍ଧା ଖାଲି ପଡ଼ିଥିବା ୨୨ ଲକ୍ଷ ପଦବୀ ପୂରଣ କରାଯିବ । ଜିଏସ୍‌ଟିକୁ ସରଳ କରାଯିବ । ଦେଶର ଗ୍ରାମ ପଞ୍ଚାୟତମାନଙ୍କରେ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱ ଦେଇ କଂଗ୍ରେସ ପକ୍ଷରୁ ଇସ୍ତାହାରରେ କୁହାଯାଇଛି, ସରକାରୀ ଡାକ୍ତରଖାନାକୁ ଆହୁରି ମଜବୁଦ୍ କରାଯିବ, ଗରିବ ଲୋକଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବ କଂଗ୍ରେସ । କେନ୍ଦ୍ରରେ କଂଗ୍ରେସ ଆସିଲେ ଦେଶରେ ଯୁବକଙ୍କୁ ନିଯୁକ୍ତି ଦିଆଯିବ । ୨୦୨୦ ସୁଦ୍ଧା ୨୨ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବ । କେବଳ ପଞ୍ଚାୟତ ସ୍ତରରେ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ରାହୁଲ ଗାନ୍ଧି କହିଛନ୍ତି । କଂଗ୍ରେସ ଇସ୍ତାହାରରେ ଶିକ୍ଷାକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି । ଶିକ୍ଷାକ୍ଷେତ୍ରରେ ୬ ପ୍ରତିଶତ ଅଧିକ ଖର୍ଚ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।

Leave a comment