ନିର୍ବାଚନୀ ପ୍ରଚାର ପାଇଁ ଗାଇଡ ଲାଇନ ଜାରି କଲା କମିଶନରେଟ ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏବେ ସବୁଦଳ ଗୁଡ଼ିକ ପ୍ରାର୍ଥୀ ଚୟନରେ ବ୍ୟସ୍ତ ଥିବା ବେଳେ ଆଉ କିଛି ଦିନ ମଧ୍ୟରେ ନିର୍ବାଚନୀ ପ୍ରଚାର ଆରମ୍ଭ ହେବ । ପ୍ରଚାର ସମୟରେ କେଉଁ କେଉଁ ନିୟମ ପାଳନ କରିବାକୁ ହେବ ସେ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଆଡ୍‌ଭାଇଜରି  ଜାରି କରାଯାଇଛି । ଏହାକୁ ସମସ୍ତେ ପାଳନ କରିବାକୁୁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ପରାମର୍ଶ ଦେଇଛନ୍ତି ।

ସାଧାରଣ ସଭା, ରୋଡ୍‌ଶୋ ଏବଂ ରାଲି କରିବାକୁ ଅନୁମୋଦନ ପାଇଁ ଦଳଗୁଡିକ ଡିସିପି ଅଫିସରେ ଆବେଦନ କରିବେ । ଅନୁମତି ମିଳିଥିବା ସ୍ଥାନ ବ୍ୟତୀତ ଅନ୍ୟ କେଉଁଠି ନିର୍ବାଚନୀ କାର୍ଯ୍ୟକ୍ରମ କରାଯିବ ନାହିଁ । ବେସରକାରୀ ଜମି ଉପରେ ସଭା କରିବାକୁ ହେଲେ ଉକ୍ତ ଜମି ମାଲିକଙ୍କଠାରୁ ଅନୁମତି ଆଣିବାକୁ ପଡିବ । ଏ ସମସ୍ତ ଘଟଣା ବିଷୟରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଅବଗତ କରାଯିବ । ସେହିଭଳି ଶୋଭାଯାତ୍ରାରେ କେତେ ଲୋକ ଓ ଗାଡ଼ି ବ୍ୟବହାର କରାଯିବ ସେ ନେଇ ପୋଲିସକୁ ଆଗୁଆ ସୂଚନା ଦେବାକୁ ପଡିବ । ଏହାସହ ୧୦ରୁ ଅଧିକ ଚାରି ଚକିଆ ଯାନ ପ୍ରାର୍ଥୀମାନେ ରାଲିରେ ବ୍ୟବହାର କରିପାରିବେ ନାହିଁ । ଯଦି ବ୍ୟବହାର କରିବେ ୧୦୦ ମିଟର ବ୍ୟବଧାନରେ ଗାଡ଼ି ରଖାଯିବା ବାଧ୍ୟତାମୂଳକ । ରାସ୍ତାରେ ରାଲି ଯିବାବେଳେ ଅଧାଭାଗ ସାଧାରଣ ଲୋକଙ୍କ ପାଇଁ ଛଡାଯିବ । ଶୋଭାଯାତ୍ରାରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା କରାଯିବା ସହ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଲାଇଟ୍‌ ସ୍ପିକର ବ୍ୟବହାର କରିବେ । ରୋଡ୍‌ ଶୋରେ ନାବାଳିକା ନାବାଳକଙ୍କୁ ସାମିଲ କରାଯିବ ନାହିଁ । ଏହି ନିୟମ ଉଲ୍ଲଂଘନ ହେଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ମହାନ୍ତି କହିଛନ୍ତି ।

Leave a comment