ନିର୍ବାଚନୀ ଖର୍ଚ୍ଚ ସମ୍ୱନ୍ଧୀୟ ତଥ୍ୟ ଇସିଙ୍କୁ ଦେଲେ ପ୍ରାର୍ଥୀ, ପଢନ୍ତୁ କେଉଁ ପ୍ରାର୍ଥୀ କରିଛନ୍ତି କେତେ ଖର୍ଚ୍ଚ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରିଲା ନିର୍ବାଚନ । ଆରମ୍ଭ ହେଲା ଖର୍ଚ୍ଚ ହିସାବ ଦେବା । ନିର୍ବାଚନ ସରିବା ଏକ ମାସ ମଧ୍ୟରେ ନିିର୍ବାଚନ କମିଶନଙ୍କ ନିକଟରେ ପ୍ରାର୍ଥୀମାନଙ୍କୁ ନିର୍ବଚନୀ ଖର୍ଚ୍ଚ ହିସାବ ଦେବାକୁ ପଡିଥାଏ । ଜଣେ ସାଂସଦ ପ୍ରାର୍ଥୀ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ଅନୁମତି ଥିବାବେଳେ ଜଣେ ବିଧାୟକ ପ୍ରାର୍ଥୀ ୨୮ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।

ସୂଚନା ଅନୁଯାୟୀ, ବିଜେପି ତାର ବିଧାୟକ ପ୍ରାର୍ଥୀ ଙ୍କୁ ୧୫ ଲକ୍ଷ ଟଙ୍କା, ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ୨୦ ଲକ୍ଷ ଟଙ୍କା ଓ କଂଗ୍ରେସ ତାର କିଛି ବିଧାୟକ ପ୍ରାର୍ଥୀଙ୍କୁ ୨୦ ଲକ୍ଷ ଦେଇଥିବା ବେଳେ କିଛି ନୂଆ ପ୍ରାର୍ଥୀଙ୍କୁ କେବଳ ୨ ଲକ୍ଷ ଟଙ୍କା କର୍ଚ ବାବଦ ଦେଇଥିବା ସାମ୍ନାକୁ ଆସିଛି ।

କିଛି ବିଧାୟକ ଓ ସାଂସଦଙ୍କ ଖର୍ଚ୍ଚ ତାଲିକା ନିମ୍ନ ଦିଆଯାଇଛି :

* ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଭାରତୀୟ ଜନତା ପାର୍ଟି ତରଫରୁ ୪୦ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ସେ ନିଜ ପ୍ରଚାର କାର୍ଯ୍ୟରେ ୫୭ ଲକ୍ଷ ୩୩ ହଜାର ୪୦୨ ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ବିଜେଡି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଦଳ ପକ୍ଷରୁ ୫୦ଲକ୍ଷ ଟଙ୍କା ପାଇଥିବା ବେଳେ ତାଙ୍କର ପ୍ରଚାରରେ ଖର୍ଚ୍ଚ ହୋଇଛି ୫୩ ଲକ୍ଷ ୭୧ ହଜାର ୫୬୦ ଟଙ୍କା ।

* ଭୁବନେଶ୍ୱର ମଧ୍ୟରୁ ଲଢ଼ିଥିବା ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଦଳ ପକ୍ଷରୁ ୨୦ ଲକ୍ଷ ଟଙ୍କା ପାଇଥିବା ବେଳେ ୧୪ ଲକ୍ଷ ୨ ହଜାର ୩୭୦ ଟଙ୍କା ସେ ନିର୍ବାଚନରେ ଖର୍ଚ୍ଚ କରିଛନ୍ତି । ସେହିପରି ବିଜେପି ଭୁବନେଶ୍ୱର ମଧ୍ୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ବିଜେପିରୁ ୧୫ ଲକ୍ଷ ଟଙ୍କା ପାଇଥିବା ବେଳେ ବିଭିନ୍ନ ସୂତ୍ରରୁ ମୋଟ ୧୬ ଲକ୍ଷ ୧୦ ହଜାର ଟଙ୍କା ପାଇଥିବା ଦର୍ଶାଇଛନ୍ତି । ଜଗନ୍ନାଥ ନିଜ ନିର୍ବାଚନରେ ମୋଟ ୧୫ ଲକ୍ଷ ୯୯ ହଜାର ୫୦୦ ଟଙ୍କା ଖର୍ଚ୍ଚ କରିଥିବା ତଥ୍ୟ ଦେଇଛନ୍ତି ।

* ଝାରସୁଗୁଡା ବିଜେଡି ବିଧାୟକ ପ୍ରାର୍ଥୀ ନବ କିଶୋର ଦାସଙ୍କୁ ଦଳ ତରଫରୁ ୨୦ ଲକ୍ଷ ଟଙ୍କା ମିଳିଥିବା ବେଳ କିଛି ସଂସ୍ଥାରୁ ୫ଲକ୍ଷ ଟଙ୍କା ମିଳିଛି । ଝାରସୁଗୁଡା ବିଧାୟକ ନବ ଦାସ ମୋଟ ୧୩ ଲକ୍ଷ ୮୮ ହଜାର ୭୯୬ ଟଙ୍କା ଖର୍ଚ୍ଚ କରିଛନ୍ତି । ନବ ନିଜ ପକ୍ଷରୁ ୬୧ ହଜାର ୫୦୦ ଟଙ୍କା ଖର୍ଚ୍ଚ କରିଛନ୍ତି । ନିର୍ବାଚନ ପ୍ରଚାର ଗାଡି ପାଇଁ ୩୮ ହଜାର ଟଙ୍କା, ଟେଲିଭିଜନ ଓ ଏସଏମ୍ଏସରେ ପ୍ରଚାର ପାଇଁ ୪୯ ହଜାର ଟଙ୍କା, ଏଜେଂଟ ଓ କର୍ମୀଙ୍କ ପାଇଁ ୧ ଲକ୍ଷ ୪୭ ହଜାର ଟଙ୍କା ଓ ପ୍ରଚାର ଗାଡି ପାଇଁ ୧୦ ଲକ୍ଷ ୫ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ସବୁ ଖର୍ଚ୍ଚ ପରେ ନବଙ୍କ ପାଖରେ ୧୨ ଲକ୍ଷ ଟଙ୍କା ବଳିଥିବା ସେ ନିଜ ତଥ୍ୟରେ ଦର୍ଶାଇଛନ୍ତି ।

* ସେହିପରି ଭୁବନେଶ୍ୱରର ଏକାମ୍ର ଆସନରେ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ରଙ୍କୁ ଦଳ ତରଫରୁ ୨୦ ଲକ୍ଷ ଟଙ୍କା ମିଳିଥିବା ବେଳେ ଭୁବନେଶ୍ୱର ମଧ୍ୟରୁ ଲଢ଼ୁଥିବା ରାଜୀବ ପଟ୍ଟନାୟକଙ୍କୁ କଂଗ୍ରେସ ପକ୍ଷରୁ ୨ ଲକ୍ଷ ଟଙ୍କା ମିଳିଛି ।

Leave a comment