ନିର୍ବାଚନ ପରେ ବଦଳୁଛି ରାଜନୈତିକ ସମିକରଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗ ହିଂସାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ଖବରଦାତା ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ । ଏଥିସହ ସେହିଠାରେ ଓଡ଼ିଶାରେ ନବୀନଙ୍କ ଶାସନରେ ଏଭଳି ଘଟଣା ଦେଖିବାକୁ ମିଳୁନାହିଁ କହି ବିଜେଡି ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଥିବା ଦେଖାଯାଇଥିଲା ।
ମାତ୍ର କିଛିଦିନ ତଳେ ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅନେକ ଥର ଓଡିଶା ଗ୍ରସ୍ତରେ ଆସିଥିଲେ । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଡା ଟ୍ରାନ୍ସଫର୍ମର କହିବା ସହ ତାଙ୍କୁ ଓପାଡ଼ି ବଙ୍ଗୋପସାଗରରେ ଫୋଫାଡ଼ି ଦେବାକୁ କହୁଥିଲେ । କିନ୍ତୁ ନିର୍ବାଚନ ପରେ ଏପରି କଣ ହେଲା ଯେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତି ବିଜେପିର ଆଭିମୁଖ୍ୟ ବଦଳିଯାଇଛି । କେନ୍ଦ୍ରରେ ସରକାର ଗଠନ କରିବା ଦାବା କରିଆସୁଥିବା ବିଜେପିକୁ ଭୋଟ ଗଣତି ପୂର୍ବରୁ ପୋଡା ଟ୍ରାନ୍ସଫର୍ମର ହଠାତ ଠିକ ହୋଇଯିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସେହିପରି ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହି ଆସୁଥିଲେ କି କେନ୍ଦ୍ରରେ ସରକାର ଗଠନରେ ବିଜେଡି ମୁଖ୍ୟ ଭୂମିକା ଗ୍ରହଣ କରିବ । ବର୍ତ୍ତମାନ ନବୀନଙ୍କ ପ୍ରତି ଶାହାଙ୍କ ମନ୍ତବ୍ୟ ବଦଳିଯିବାରୁ ଜାତୀୟସ୍ତରରେ ପୁଣିଥରେ ନବୀନଙ୍କ ଭାବମୂର୍ତ୍ତି ଆହୁରି ବଢ଼ି ଯାଇଥିବା ଚର୍ଚ୍ଚା ହେଉଛି । କେନ୍ଦ୍ରରେ ଏକାକୀ ସରକାର ଗଢିବା ସମ୍ଭବ ନୁହେଁ ବୋଲି ଜାଣିବାପରେ ବିଜେପିର କେନ୍ଦ୍ରୀୟ ନେତାମାନେ ଏହି ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ଜୋର୍ ଧରିଛି ।
ସମାନ ଭାବେ ଅଣଏନ୍.ଡି.ଏ ଦଳଗୁଡିକୁ ଏକାଠି କରିବା ପାଇଁ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉଦ୍ୟମ ଆରମ୍ଭ କରିଛନ୍ତି । ଆସନ୍ତା ୨୩ରେ ନିର୍ବାଚନ ଫଳ ଆସିବାପରେ ବିଜେପି ବିରୋଧୀ ଦଳଗୁଡ଼ିକର ହେବାକୁ ଥିବା ବୈଠକରେ ସାମିଲ ହେବା ପାଇଁ ବିଜେଡିକୁ ସୋନିଆ ଗାନ୍ଧି ପତ୍ର ଲେଖିଥିବା ଜଣାପଡିଛି ।