ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନ ଖୁବ କମଦିନ ରହିଥିବାରୁ ଏହାର ପ୍ରସ୍ତୁତି ଠିକ ଭାବରେ ଚାଲିଛି ନା ନାହିଁ ତାର ସମୀକ୍ଷା କରିବାକୁ କେନ୍ଦ୍ରର ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ ଗତକାଲି ୩ ଦିନିଆ ଓଡିଶାଗସ୍ତରେ ଆସି ପହଞ୍ଚିଛନ୍ତି ।
ସୂଚନା ଅନୁଯାୟୀ, ଓଡ଼ିଶାରେ ଆଗାମୀ ନିର୍ବାଚନ ଅପ୍ରେଲ ମାସରେ ହେବାକୁ ଥିବା ଅନୁମାନ କରାଯାଉଛି । ଏଠାରେ ତିନିଟି ପ୍ରମୁଖ ଦଳ ମଧ୍ୟରେ ନିର୍ବାଚନୀ ଲଢ଼େଇ ଜୋରଦାର ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରସ୍ତୁତି ଓ ସମସ୍ତ ପ୍ରମୁଖ ଦଳଙ୍କ ଆଭିମୁଖ୍ୟ ସମୀକ୍ଷା କରିବାକୁ ଆଜି ବୈଠକରେ ଆଲୋଚନା ଚାଲିଛି ।
ମୁଖ୍ୟ ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ଆସିଥିବା ଟିମ ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ଏକ ଦଳ ସହ, ଭୃଗୁବକ୍ସି ପାତ୍ର ଙ୍କ ନେତୃତ୍ବରେ ବିଜେପିର ଏକ ଦଳ ସହ ଏବଂ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକଙ୍କ ସହ ବିଜେଡିର ଏକ ଦଳ ଆଲୋଚନା କରିଛନ୍ତି । ଏହି ଟିମର ଅନ୍ୟମାନେ ହେଲେ ଉପ-ନିର୍ବାଚନ କମିସନର ଚନ୍ଦ୍ରଭୂଷଣ କୁମାର, ଡିକେ ଶର୍ମା (ଡିଜି, ବ୍ୟୟ), ଶ୍ରୀମତୀ ସେଫାଳୀ ଶରଣ (ଏଡିଜି, ପିଆଇବି), ନିଖିଳ କୁମାର (ନିର୍ଦ୍ଦେଶକ), ରାକେଶ କୁମାର (ସଚିବ) । ଆଜି ପ୍ରମୁଖ ୩ଟି ରାଜନୈତିକ ଦଳସହ ଆଲୋଚନା କରିବା ପରେ ଆସନ୍ତାକାଲି ଏନଫୋର୍ସମେଂଟ ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ରାଜ୍ୟ ନିର୍ବାଚନ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ଏସ୍ପି ଓ ୩ ଆରଡିସିଙ୍କ ସହ ବି ଆଲୋଚନା କରିବେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ କେନ୍ଦ୍ର ଅର୍ଧସାମରିକ ବାହିନୀ ମୁଖ୍ୟ ଓ ପୋଲିସ ନୋଡାଲ ଅଫିସରଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଖ୍ୟ ଶାସନ ସଚିବ, ଡିଜିପି , ଆଇନ ବିଭାଗ ସଚିବ ଓ ଅନ୍ୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ ଟିମ ।
ଆଜିର ଆଲୋଚନା ପରେ ବିରୋଧୀ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, ” ନିରପେକ୍ଷ ନିର୍ବାଚନ ହେବା ସହ ଇଭିଏମ ମେସିନ ଉପରେ ପ୍ରଶିକ୍ଷଣ ଦିଆଯାଉ ବୋଲି ପରାମର୍ଶ ଦେଇଛନ୍ତି । କିପରି ଅର୍ଥବଳ, ବାହୁବଳ, ସରକାରୀ କଳକୁ ନିୟନ୍ତ୍ରଣ କରାଯାଇପାରିବ ସେନେଇ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି ।”
ସେହିପରି ବିଜେପି ନେତା ଭୃଗୁବକ୍ସି ପାତ୍ର କହିଛନ୍ତି, ” ବିଭିନ୍ନ ବୁଥ, ସରକାରୀ କଳର ଅପବ୍ୟହାର କରିବାର ଆଶଙ୍କା, ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ ରୁପେ ବ୍ୟବହାର, ସରକାରୀ ଅଫିସରମାନେ ନିର୍ବାଚନକୁ ସରକାରୀସପକ୍ଷରେ ନିୟନ୍ତ୍ରଣ କରିବାକୁ ନେଇ ନିର୍ବାଚନ କମିଶନଙ୍କ ଆଗରେ ବିଜେପି ନିଜର ପକ୍ଷ ରଖିଛି । ”
ଅପରପକ୍ଷରେ ବିଜେଡ଼ି ମୁଖ୍ୟପାତ୍ର ଅମର ପଟ୍ଟନାୟକ କହିଛନ୍ତି, ” ବିଜେପୁର ଉପନିର୍ବାଚନ ସମୟରେ ହୋଇଥିବା ହିଂସାର ପୁନରାବୃତ୍ତି ନହେଉ ବୋଲି ନିର୍ବାଚନ କମିସନଙ୍କୁ ଜଣାଇଛନ୍ତି । ହିଂସାରେ ବେଜେପିର ଯେଉଁ ନେତାମାନେ ଜଡ଼ିତ ଥିଲେ, ତାଙ୍କ ବିଷୟରେ ଅବଗତ କରାଯାଇଥିବା କଥା କହିଛନ୍ତି । ଏହାବ୍ୟତୀତ ପଟ୍ରୋଲ ପମ୍ପରେ ଟଙ୍କା ରଖାଯାଇ ସେଠାରୁ କିପରି ଅନ୍ୟ ସ୍ଥାନକୁ ଟଙ୍କା ପଠାଯାଉଛି ସେ ବିଷୟରେ ଦୃଢ଼ ନଜର ରଖାଯାଉ ବୋଲି ମଧ୍ୟ କହିବା ସହ ଯେଉଁସବୁ ସ୍ଥାନରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରାଯିବାକୁ ଚେଷ୍ଟା କରାଯାଉଛି, ସେଉପରେ କିପରି ରୋକ ଲଗାଯାଇପାରିବ ସେ ନେଇ ନିର୍ବାଚନ କମିସନଙ୍କୁ ଅବଗତ କରାଇଛନ୍ତି । ସୋସିଆଲ ମିଡ଼ିଆରେ ମିଛ ଖବର ପ୍ରସାର ଉପରେ କିପରି ରୋଗ ଲଗାଯାଇପାରିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ।”