ଓଡ଼ିଶା ଇଲେକ୍ସନ ଓ୍ବାଚ୍‌ ଓ ଏଡିଆର୍‌ର ପ୍ରଥମ ପର୍ଯ୍ୟାୟ ରିପୋର୍ଟ ପ୍ରକାଶିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା ପ୍ରଥମ ପର୍ଯ୍ୟାୟରେ ୨୬ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୧୦ଜଣ କୋଟିପତି, ୧୨ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶରୁ କମ୍ ।

ସୂଚନା ଅନୁଯାୟୀ, ସାଧାରଣ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୧ ତାରିଖରେ ହେବ । ପ୍ରଥମ ପର୍ଯ୍ୟାୟରେ ମୋଟ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ନିର୍ବାଚନ ହେବ ।
୪ ଲୋକ ସଭା ଆସନ ପାଇଁ ୨୬ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଓଡ଼ିଶା ଇଲେକ୍ସନ ଓ୍ବାଚ୍‌ ଓ ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ଏଡିଆର୍‌) ପକ୍ଷରୁ ପ୍ରାର୍ଥୀମାନଙ୍କ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି । ରବିବାର ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରାର୍ଥୀଙ୍କ ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା, ଆପରାଧିକ ପୃଷ୍ଠଭୂମି ଆଦି ତଥ୍ୟ ଉପସ୍ଥାପନ କରାଯାଇଛି । ୨୬ ଏମ୍‌ପି ପ୍ରାର୍ଥୀଙ୍କ ମଧ୍ୟରୁ ୧୦ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟିରୁ ଊର୍ଦ୍ଧ୍ୱ ରହିଛି । ବ୍ରହ୍ମପୁର ଲୋକ ସଭା ଆସନର କଂଗ୍ରେସ ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡୁଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୬ କୋଟି ଟଙ୍କାରୁ ଊର୍ଦ୍ଧ୍ୱ । ସେହିପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ନବରଙ୍ଗପୁର ଲୋକ ସଭା ଆସନରୁ ଲଢ଼ୁଥିବା ଭାଜପା ପ୍ରାର୍ଥୀ ବଳଭଦ୍ର ମାଝି । ତାଙ୍କ ସମ୍ପତ୍ତିର ମୂଲ୍ୟ ୮ କୋଟିରୁ ଊର୍ଦ୍ଧ୍ୱ । କୋରାପୁଟ ଭାଜପା ପ୍ରାର୍ଥୀ ଜୟରାମ ପାଙ୍ଗୀଙ୍କ ସମ୍ପତ୍ତିର ମୂଲ୍ୟ ୪ କୋଟିରୁ ଉର୍ଦ୍ଧ୍ୱ, କୋରାପୁଟ ଲୋକସଭା ଆସନର ସିପିଆଇଏମ ଏଲ୍ ପ୍ରାର୍ଥୀ ରାଜେନ୍ଦ୍ର କେନ୍ଦୁକାଙ୍କ ସମ୍ପତ୍ତିର ମୂଲ୍ୟ ସବୁଠାରୁ କମ । ସେହିପରି ବ୍ରହ୍ମପୁର ଲୋକସଭା ଆସନ ସ୍ବାଧୀନ ପ୍ରାର୍ଥୀ କେ ଶ୍ୟାମାବାବୁ ସୁବୁଦ୍ଧିଙ୍କ ସମ୍ପତ୍ତି ମୂଲ୍ୟ ୧୦ହଜାର ଟଙ୍କା ଏବଂ ଦାମୋଦର ଶବରଙ୍କ ସମ୍ପତ୍ତି ମୂଲ୍ୟ ୧୫ ହଜାର ଟଙ୍କା ବୋଲି ସେମାନଙ୍କ ପ୍ରାର୍ଥୀ ପତ୍ରରେ ଦର୍ଶାଇଛନ୍ତି ।

ସେହିପରି ୨୬ଜଣଙ୍କ ମଧ୍ୟରୁ ୬ଜଣଙ୍କ ନାମରେ ଅପରାଧୀକ ମାମଲା ରହିଛି । ଏଥିସହ ୧୨ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ବାଦଶ ବୋଲି ଜଣାପଡିଛି ।

Leave a comment