ଯୋଗୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ଯବାନଙ୍କୁ ମୋଦି ସେନା କହି ବିବାଦରେ ଫସିଛନ୍ତି ଉତ୍ତର ପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ । ନିର୍ବାଚନ କମିଶନ ପ୍ରଥମେ ଯୋଗୀଙ୍କ ଏହି ମନ୍ତବ୍ଯକୁ ନେଇ ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ରିପୋର୍ଟ ପଠାଇଥିଲେ । ଏବେ ଏ ନେଇ ନିର୍ବାଚନ କମିଶନ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କୁ ନୋଟିସ ପଠାଇଛନ୍ତି । ଏପ୍ରିଲ ୫ ଅପରାହ୍ନ ସୁଦ୍ଧା ଯୋଗୀ ଏହାର ଜବାବ ଦେବେ ବୋଲି ନିର୍ବାଚନ କମିଶନ ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ଗାଜିଆବାଦଠାରେ ମାର୍ଚ୍ଚ ୧୯ ତାରିଖରେ ଅନୁଷ୍ଠିତ ଏକ ନିର୍ବାଚନୀ ରାଲିରେ ଯୋଗୀ ଯୋଗଦେଇଥିଲେ । ଏଠାରେ ଜନତାଙ୍କୁ ଉଦବୋଧନ ଦେବା ଅବସରରେ ଯୋଗୀ ଭାରତୀୟ ଯବାନଙ୍କୁ ‘ମୋଦିଙ୍କ ସେନା’ ବୋଲି କହିଥିଲେ । ଆତଙ୍କବାଦୀ ପ୍ରସଙ୍ଗରେ କହୁଥିବା ବେଳେ ଯୋଗୀ କହିଥିଲେ, କଂଗ୍ରେସ ନେତା ଆତଙ୍କବାଦୀଙ୍କୁ ବିରିୟାନୀ ଖୁଆଉଥିବାବେଳେ ମୋଦି ସେନା ଆତଙ୍କବାଦୀଙ୍କୁ ବୁଲେଟ୍ ଓ ବମ୍ ଦେଖାଇ ସେମାନଙ୍କ ନିଦ ହଜାଇ ଦେଇଛନ୍ତି । ଆଚରଣବିଧି ଲାଗୁହେବା ବେଳେ ଯବାନଙ୍କୁ ନେଇ କୌଣସି ଦଳ ଦାବି କରି ପାରିବ ନାହିଁ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିସାରିଛନ୍ତି । ଏହାସତ୍ତ୍ବେ ଯୋଗୀ ଏଭଳି ମନ୍ତବ୍ୟ ଦେବାକୁ ବିରୋଧୀ ଟାର୍ଗେଟ କରିଥିଲେ ।