ପ୍ରାର୍ଥୀ ଚୟନକୁ ନେଇ ନରସିଂହପୁରରେ ବଚସା: ବିଧାୟକ ଦେବୀ ମିଶ୍ର ଓ ପାଟ୍ଟଶାଣୀଙ୍କୁ ଠେଲାପେଲା

0

ଆଗକୁ ପଞ୍ଚାୟତ ନିର୍ବାଚନ। କିନ୍ତୁ ନିର୍ବାଚନର ତାତି ଏବେଠୁ ଆରମ୍ଭ ହେଲାଣି। ପଞ୍ଚାୟତ ନିର୍ବାଚନ ସମିତିସଭ୍ୟ ପ୍ରାର୍ଥୀ ଚୟନକୁ ନେଇ ବିରୋଧର ସମ୍ମୁଖୀନ ହୋଇଛନ୍ତି ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର। ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ବାସେଳିହତା ଗ୍ରାମରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ପାଇଁ ପହଞ୍ଚିବା ସମୟରେ ଏଭଳି ଅଘଟଣ ଘଟିବା ସହ ବିଜେଡିର ଗୋଷ୍ଠୀ ବିବାଦ ପଦାରେ ପଡିଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ଚୟନକୁ ନେଇ ନରସିଂହପୁର ବ୍ଲକ ବାସେଳିହତା ଛକରେ ଏଭଳି ଘଟଣା ଘଟିଛି। ବିଧାୟକ ଦେବୀ ପ୍ରସାଦ ମିଶ୍ର ପହଞ୍ଚିବା ପରେ ତାଙ୍କ ଗାଡିକୁ ଘେରିଯାଇଥିଲେ ଓ ବିଧାୟକ ଗାଡ଼ିରୁ ଓହ୍ଲାଇବା ମାତ୍ରେ କିଛି ଦଳୀୟ କର୍ମୀ ତାଙ୍କୁ ଠେଲା ପେଲା କରିବା ଦେଖାଯାଇଥିଲା। ଦୁଇଗୋଷ୍ଠୀ ମଧ୍ୟରେ ଠେଲା ପେଲା ହେବା ସହ କିଛି କର୍ମୀ ବିଧାୟକଙ୍କୁ ସେହି ଗହଳି ଓ ଠେଲାପେଲା ସ୍ଥଳରୁ ଧରି ସଭାମଂଚ ଆଡକୁ ନେଇଯାଇଥିବା ଦେଖିବାକୁ ମିଳିଥିଲା। ଏସବୁ ଠେଲାପେଲା ସତ୍ବେ ପୂର୍ବନିର୍ଦ୍ଧାରିତ ସମସ୍ତ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ଯେଉଁଭଳି ହେବା କଥା ତା ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ବାସେଳିହତା ଗ୍ରାମ ପଞ୍ଚାୟତରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ଭୁବନେଶ୍ୱର ପୂର୍ବତନ ଲୋକସଭା ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଆସିଥିଲେ। ପଞ୍ଚାୟତ ପ୍ରବେଶ ପଥରେ ଅତିଥି ମାନଙ୍କୁ ପାଛୋଟି ନିଆଯାଇଥିଲା। ବିଧାୟକ ଶ୍ରୀ ମିଶ୍ର ଗାଡ଼ିରୁ ଓହ୍ଲାଇବା ମାତ୍ରେ କିଛି ଦଳୀୟ କର୍ମୀ ତାଙ୍କୁ ଠେଲା ପେଲା କରିବା ଦେଖାଯାଇଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନରେ ବାସେଳିହତା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପଦବିଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ବିଜୁ ଜନତା ଦଳ ପକ୍ଷରୁ କବିତା ସାହୁ ଓ ସୁକାନ୍ତି ମହାଳିକ ଦୁଇ ଜଣ ମହିଳା ପ୍ରାର୍ଥୀ ଏହି ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିବା ଆଶାୟୀ ରହିଛନ୍ତି। ସ୍ଥାନୀୟ ବିଧାୟକ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ନାମକୁ ସର୍ବସାଧାରଣଙ୍କ ସମ୍ମୁଖରେ ଦଳୀୟ ସମର୍ଥିତ ପ୍ରାର୍ଥୀଭାବେ ଘୋଷଣା କରିବା ପାଇଁ ଦୁଇ ଗୋଷ୍ଠୀ ଜିଦ ଧରିଥିଲେ। ଏହି ଘଟଣାକୁ ନେଇ ଦୁଇ ବିଜେଡି ଗୋଷ୍ଠୀ ମଧ୍ୟରେ ଠେଲା ପେଲା ହୋଇଥିଲା।

Leave a comment