ସାନ ଭାଇ ଆକ୍ରମଣରେ ବଡ଼ ଭାଇ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସାନଭାଇଙ୍କ ଆକ୍ରମଣରେ ବଡ଼ଭାଇଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ , ଗଞ୍ଜାମ ଜିଲା ପାଟପୁର ଥାନା ଅଧିନ ପଦ୍ମପୁର ଗ୍ରାମ ମଳିକ ସାହିର ନାଥ ମଳିକ ପୁଅ ଚିତ୍ରସେନ ଘର ପଛପଟେ ଗଛ ଲଗାଇବାକୁ ଯାଇଥିଲେ। ସେଠାରେ ତାଙ୍କ ଦାଦା ଉଦୟ ମଳିକ ବାଡ଼ିରେ ଲାଗିଥିବା କାଙ୍କଡ଼ ଗଛଗୁଡ଼ିକୁ ଉପାଡ଼ି ଫୋପାଡୁ ଥିବା ଦେଖିଥିଲେ। ଚିତ୍ରସେନ ଏହାର ପ୍ରତିବାଦ କରିବାରୁ ଉଦୟ ତାଙ୍କୁ ଗାଳିଗୁଲଜ କରିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ନାଥ ସେଠାରେ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିବା ବେଳେ ଉଦୟ ତାଙ୍କ ତଣ୍ଟି ଚିପି ଧରିଥିଲେ। ଏହାକୁ ନାଥଙ୍କ ଜ୍ୱାଇଁ ଜଳନ୍ଧର ରୋକିବା ବେଳେ ଉଦୟଙ୍କ ସ୍ତ୍ରୀ ତୁଳସା ମଳିକ ଓ ପୁଅ ରବି ମଳିକ ସେନାନଙ୍କୁ ଆକ୍ରମଣ କରିଥିଲେ। ପରେ ନାଥଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପରିବାରଲୋକେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ପାଟପୁର ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି। ଅପରପକ୍ଷେ ଅଭିଯୁକ୍ତ ଉଦୟ ଫେରାର ହୋଇଯାଇଥିବା ପୋଲିସ କହିଛି।