ଏଣିକି +୨ ନାମଲେଖାରେ କାଉନସେଲିଂ ବାଧ୍ୟତାମୂଳକ

ଭୁବନେଶ୍ୱର : ରାଜ୍ୟରେ ଯୁକ୍ତଦୁଇ ନାମଲେଖା ପ୍ରକ୍ରିୟାରେ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ବୈଷୟିକ ଶିକ୍ଷାରେ ଯେପରି ନାମଲେଖା ହେଉଛି, ସେହି ଢାଞ୍ଚାରେ ଦ୍ୱାଦଶ ନାମଲେଖା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏଣିକି +୨ ନାମଲେଖା ପୂର୍ବରୁ କାଉନ୍ସେଲିଂ ପ୍ରକ୍ର୍ରିୟା କରିବାକୁ ବିଭାଗ ସ୍ଥିର କରିଛି । ପୂର୍ବରୁ ଓଜେଇଇ, ମେଡିକାଲ୍ରେ ଏପରି ବ୍ୟବସ୍ଥା ଥିବା ବେଳେ ପିଲାମାନେ ଏଥିଯୋଗୁଁ ନିଜ ଭବିଷ୍ୟତ ପାଇଁ ସଠିକ ନିଷ୍ପତ୍ତି ନେଇପାରୁଛନ୍ତି । ଏହି ପ୍ରକ୍ରିୟାକୁ +୨ରେ ବ୍ୟବହାର କରାଗଲେ ପିଲାମାନେ ସେମାନଙ୍କର ଭବିଷ୍ୟତ ପାଠ୍ୟକ୍ରମ, କଲେଜ ଚୟନ କରିବା ସହ ଶିକ୍ଷାବ୍ୟବସ୍ଥାକୁ ସହଜରେ ବୁଝିପାରିବେ ବୋଲି ବିଭାଗ ଆଶା ରଖିଛି ।
ସେହିପରି ରାଜ୍ୟରେ ବିଭିନ୍ନ କଲେଜରେ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ୍ ମାଧ୍ୟମରେ ନାମଲେଖା ରୋକିବା ଲାଗି ନାମଲେଖା ସମୟରେ ସବୁ କଲେଜରେ ଏକ ଯାଞ୍ଚ କମିଟି ଗଠନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା କ୍ଷେତ୍ରରେ ନାମଲେଖା ସମୟରେ ଅଭିଭାବକଙ୍କ ଭୁଲ ନିଷ୍ପତ୍ତି ଏବଂ ପିଲାଙ୍କର ଆଶା ବିରୋଧରେ ନାମଲେଖା ଅନେକ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ନାମଲେଖା ପୂର୍ବରୁ କାଉନସେଲିଂ ମାଧ୍ୟମରେ ପିଲାଙ୍କୁ ପାଠ୍ୟକ୍ରମ ଏବଂ ଶିକ୍ଷାନୁଷ୍ଠାନ ସମ୍ପର୍କରେ ଅବଗତ କରାଗଲେ ପିଲାମାନେ ଠିକ୍ ପଦକ୍ଷେପ ଗ୍ରହଣ କରିପାରିବେ । ଏପରିକି ଗତ ୫ବର୍ଷ ହେବ ଅନଲାଇନ୍ ନାମଲେଖା ସମୟରେ ବିଭିନ୍ନ ସମସ୍ୟା ଲାଗି ପିଲାମାନେ ଭୁଲ ଷ୍ଟ୍ରିମ୍ରେ ନାମ ଲେଖାଇଥାନ୍ତି । ଭୁଲ ନିଷ୍ପତ୍ତି ଲାଗି ପ୍ରାୟ ୧୫ପ୍ରତିଶତ ପିଲାଙ୍କ ରେଜଲ୍ଟ ଉପରେ ପ୍ରଭାବ ପଡୁଛି ।
ରାଜ୍ୟରେ +୨ ନାମଲେଖା ଲାଗି ଅନ୍ଲାଇନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାରୁ ବିଭିନ୍ନ ଜିଲ୍ଲାର ମେଧାବୀମାନେ ସେମାନଙ୍କ ପସନ୍ଦର କଲେଜରେ ପଢ଼ିବାର ସୁଯୋଗ ପାଉଛନ୍ତି । ମାତ୍ର ଅନେକ ସମୟରେ +୨ ନାମଲେଖା ପୂର୍ବରୁ ପିଲାମାନେ ସେମାନଙ୍କର ପାଠପଢ଼ା ସମ୍ପର୍କରେ ସଠିକ ନିଷ୍ପତ୍ତି ନେଇପାରିନଥାନ୍ତି । ଫଳରେ ଦଶମରେ ଅଧିକ ମାର୍କ ରଖିଥିବା ପିଲାମାନେ +୨ ବିଜ୍ଞାନ ପଢ଼ିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଭିଭାବକଙ୍କ ତତ୍ତ୍ୱାବଧାନ ଅଭାବରୁ କଳା କିମ୍ବା ବାଣିଜ୍ୟ ଲାଗି ଫର୍ମ ପୂରଣ କରିଥାନ୍ତି ।
ସେହିପରି ଅନେକ ପିଲା ଅଧିକ ମାର୍କ ରଖିଥିଲେ ହେଁ ଆବେଦନ ପୂର୍ବରୁ କିଛି ରେସିଡେନ୍ସସିଆଲ କଲେଜର ଦଲାଲଙ୍କ ଦ୍ୱାରା ପ୍ରଭାବିତ ହୋଇ ବହୁ ଅର୍ଥ ବ୍ୟୟ କରିଥାନ୍ତି । ରାଜ୍ୟରେ ପିଲାଙ୍କ ସୁବିଧା ଲାଗି +୨ ନାମଲେଖା ପ୍ରକ୍ରିୟାରେ ସଂସ୍କାର ଆସିଥିଲେ ହେଁ ପିଲାଙ୍କ ସମସ୍ୟାର ସମାଧାନ ଲାଗି କୌଣସି ବ୍ୟବସ୍ଥା ନାହିଁ । ଯେଉଁଥିପାଇଁ କି ରାଜ୍ୟରେ ଅନେକ ମେଧାବୀ ସେମାନଙ୍କ ଉଚ୍ଚଶିକ୍ଷା ଏବଂ ଭବିଷ୍ୟତକୁ ଠିକ ଭାବେ ପ୍ରସ୍ତୁତ କରିପାରିନଥାନ୍ତି । ତେବେ ଏଣିକି ଫର୍ମ ପୂରଣ ପୂର୍ବରୁ ପିଲାଙ୍କ ଲାଗି ସ୍ୱତନ୍ତ୍ର କାଉନସେଲିଂ ହେବାର ଥିବାରୁ ଏହା ସେମାନଙ୍କପାଇଁ ବେଶ୍ ସହାୟକ ହେବ। ଅନ୍ଲାଇନ୍ ମାଧ୍ୟରେ ଆବେଦନ କରିବା ପରେ ପିଲାଙ୍କ କଟ୍ ଅଫ୍ ମାର୍କକୁ ଦେଖି ରାଜ୍ୟର କେଉଁ କଲେଜରେ ପିଲା ପଢ଼ିବାକୁ ଆଶା ରଖିଛି ସେ ସମ୍ପର୍କରେ ପିଲାଙ୍କ ସହ ଆଲୋଚନା କରାଯିବ । ପିଲାର ମାର୍କ ଏବଂ କଲେଜର ଷ୍ଟାଟସ୍କୁ ଅନୁଧ୍ୟାନ କରିବା ପରେ ଅନ୍ଲାଇନ୍ ଆବେଦନ ହେବ । କାଉନସେଲିଂ ଲାଗି ଏକ କମିଟି ଗଠନ କରାଯିବ । ଯେଉଁଥିରେ ବିଭିନ୍ନ ଜିଲ୍ଲାର ସରକାରୀ କଲେଜର ବରିଷ୍ଟ ଅଧ୍ୟାପକ, ମନସ୍ତତ୍ୱବିତ୍ ଏବଂ କାଉନସେଲର ନିୟୋଜିତ ହେବେ । ତେବେ କାଉନସେଲିଂ ଲାଗି ପ୍ରତିଷ୍ଠିତ ସଂସ୍ଥାକୁ ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି । ସେହିପରି ଭିନ୍ନକ୍ଷମ ସାର୍ଟିଫିକେଟରେ ଆଧାର ନମ୍ବର ସଂଯୋଗ କରିବାକୁ ମଧ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ରଖାଯାଇଛି । ଏହାବ୍ୟତୀତ କେଉଁ ଛାତ୍ରଛାତ୍ରୀଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ୍ ପ୍ରଦାନ କରାଯାଉଛି ତାହାର ସବିଶେଷ ତଥ୍ୟ ସରକାରଙ୍କ ପାଖରେ ରହିବ ବୋଲି ଜଣାପଡ଼ିଛି ।